ରାବଣର ହସ ବାଲ୍ମୀକିଙ୍କ ରଚିତ ରାମାୟଣରୁ ବେଶ୍ ସ୍ପଷ୍ଟ ଭାବେ ବାରିପଡ଼େ । ରାବଣ କ'ଣ ସତରେ ହସେ । ଭଲରେ ହସୁଥିଲେ ଶୋଭାପାଆନ୍ତା । ରାବଣର ଏ ହସ ସାଧାରଣର ହସ ନୁହେଁ, ଏ ହସ କୁଟିଳ ହସ, ଆଉ ଏ ହସରେ କୁଟିଳତା ସହ ଅନ୍ୟର କିପରି ଅନିଷ୍ଟ କରିବ ଏକ ଜଟିଳତା ତା’ ଭିତରେ ସ୍ପଷ୍ଟ ଫୁଟି ଉଠିଥାଏ । ହସ ତା’ର ସହଜାତ ପ୍ରବୃତ୍ତି, ଆଉ ତା'ର ହସ ତ ଏ ହସ ନୁହେଁ, ଅଟ୍ଟହାସ୍ୟ । କେଜାଣି କାହିଁକି ଏ ପ୍ରକାର ହସ ନେଇ ସେ ଜନ୍ମ ନେଇଥିଲା, ଆଉ ଏ ହସ ହିଁ ତା'ର ବିନାଶର କାରଣ ହେଲା ।
ମା' ସୀତାଦେବୀ ଲକ୍ଷ୍ମଣ ରେଖା ଡେଇଁ ଗଲାପରେ ତା’ ହସର ସୀମା ନଥିଲା । ଶତ୍ରୁକୁ ବିନାଶ କରିବା ପାଇଁ ବହୁତ ବଡ଼ କାମ ହାସଲ କରିପାରିଲା ବୋଲି ତାର ହୃଦ୍ବୋଧ ହେଲା ଓ ସେଇ କଥାରେ ସେ ହସି ଦେଇଥିଲା, ଯୋଉ କଥାରେ ସମସ୍ତେ କହୁଥିଲେ "ସୀତା ହରଣ, ରାବଣ ମରଣ’ । ଏ କଥାକୁ ସେ ହେୟଜ୍ଞାନ କରୁଥିଲା । ମାରୀଚକୁ ପଠାଇଲା ବେଳେ ସେ ହସୁଥିଲା, ଜଟାୟୁର ପକ୍ଷଛେଦନ ବେଳେ ସେ ବି ହସୁଥିଲା । ପୁଷ୍ପକ ଯାନରେ ସୀତାଦେବୀକୁ ଅନେଇ ଅନେଇ ହସୁଥିଲା । ସେ ଗଡ଼ ଜିଣିଗଲା ଭଳି ତାକୁ ଲାଗୁଥିଲା । ନାରୀ ସଂଭୋଗ ବାସନା ତା’ ମନରେ ଉଜ୍ଜୀବିତ ହେଇଥିଲେ ହେଁ ସେ କ'ଣ ତାହା ଚରିତାର୍ଥ କରିପାରିଲା?
ସୀତାଦେବୀଙ୍କୁ ଅଶୋକବନରେ ରଖିଲା ସତ, ହେଲେ କେବେହେଲେ ବି ତାଙ୍କ ପ୍ରତି କାମୁକତା ପ୍ରଦର୍ଶନ କଲା ନାହିଁ । ଏହା ହିଁ ରାବଣର ଚରିତ୍ରର ବିଶେଷ ମହତ୍ତ୍ୱ ପ୍ରଦାନ କରେ । ରାବଣ କ'ଣ ଏସବୁ କାମ ପାଇଁ ଭିତରେ ଭିତରେ ମନେମନେ ନିଜକୁ ନିଜେ ହସୁନଥାଏ! ତା'ର କୁ-କର୍ମକୁ ଭାବି ଭାବି ସେ ଯେ ଅନୁତପ୍ତ ହେଉନଥାଏ କିଏ କହିପାରେ । କିନ୍ତୁ ରାବଣ ଯେତେ ନୈଷ୍ଠିକ ସାଧୁ ତପସ୍ୱୀ ସାଧକ ହୋଇଥାଇପାରେ, କିନ୍ତୁ ସେ ଯେ ଏକ ଖଳଚରିତ୍ର ଭାବରେ ପ୍ରଖ୍ୟାପିତ ହେଲା ଓ ନିଜ ଭିତରେ ଯୋଉ ହସ ଥିଲା ତାକୁ ପ୍ରକୃତରେ ତାହା ଟୀଟୀକାର କଲା ।
ରାବଣ ପାଖରେ କ'ଣ ନଥିଲା? ସେ ମାୟାବୀ ଥିଲା, ଅହଂକାରୀ ଥିଲା, ନଷ୍ଟ ଚରିତ୍ର ବୋଲି କୁହାଗଲେ ବି ସେ ନାରୀ ପ୍ରତି ଜଘନ୍ୟ କାର୍ଯ୍ୟରେ ଲିପ୍ତ ନଥିଲା । ସ୍ୱର୍ଣ୍ଣଲଙ୍କା ଧ୍ୱଂସ ହେବାପରେ ତା’ ହସ ମଳିନ ପଡ଼ିଯାଇଥିଲା ଓ ସେ ଜାଣିପାରିଥିଲା ଯେ ଶ୍ରୀରାମଙ୍କ ହାତରେ ତା'ର ମୃତ୍ୟୁ ସୁନିଶ୍ଚିତ । ଭାବନ୍ତୁ ତ ଦଶାନନର ଦଶଟି ମୁଖର ହସ କେତେ ବିକଟାଳ ହୋଇଥିବ ସତରେ! ଦଶ ଶିର ଛେଦନ ପରେ ଆଉ ହସ ତା’ ମୁଖରେ ନଥିଲା, ସେ ନିଜ ଭୁଲ୍ ପାଇଁ ଆଉ ନିଜର ପାପ ପାଇଁ ଅନୁତପ୍ତ ହୋଇ ଶ୍ରୀରାମଚନ୍ଦ୍ରଙ୍କ ପାଖରେ କ୍ଷମାପ୍ରାର୍ଥନା କଲା । ପ୍ରଭୁଙ୍କର ପତ୍ନୀକୁ ଅପହରଣ କରିବାଟା କ'ଣ କମ୍ ବଡ଼ ପାପ! ସେ ପାପର ସୀମା ନାହିଁ ଆଦୌ, କ୍ଷମା କ'ଣ କରାଯାଇପାରେ? କହିବାକୁ ଗଲେ ଅଧୁନା ଗଣଦୁଷ୍କର୍ମ ରାଜ୍ୟ-ରାଜ୍ୟ ଭିତରେ ତଥା ଭାରତରେ ସର୍ବାଧିକ ରାଜ୍ୟ ଭାବରେ ପରିଗଣିତ ହେଉଛି ଯେଉଁ ରାଜ୍ୟ, ସବୁଠାରୁ ଅଧିକ ନାରୀ ନିର୍ଯାତନା ଦେବାର ରାଜ୍ୟ ହେଉଛି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ । ଉତ୍ତରପ୍ରଦେଶର ହାଥରସରେ ଘଟିଯାଇଥିବା ଅମାନୁଷିକ ବର୍ବରୋଚିତ ଗଣଦୁଷ୍କର୍ମ ଏକ ଲୋମହର୍ଷଣକାରୀ ଘଟଣା । କିନ୍ତୁ ଗଭୀର ରେଖାପାତ କରେ ଏବେ ଏବେ କଲିକତାରେ ଘଟିଯାଇଥିବା ଦୁଃଖଦ ଘଟଣା ସତରେ ସମସ୍ତଙ୍କୁ ବିଚଳିତ କରିଦେଇଛି ।
ଆମେ ନାରୀମାନଙ୍କୁ ସୁରକ୍ଷା ସମ୍ମାନ ଓ ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ ସଂକଳ୍ପବଦ୍ଧ ଥିଲାବେଳେ କ'ଣ ସତରେ ନାରୀ ଏ ସମାଜଠାରୁ ତାର ଉପଯୁକ୍ତ ସୁରକ୍ଷା ପାଇପାରୁଛି । ୩୩ବର୍ଷୀୟା ଜଣେ ମହିଳା ଡାକ୍ତରାଣୀ ଛାତ୍ରୀଙ୍କୁ ଯେଭଳି ନୃଶଂସ ଭାବରେ ଗଣଦୁଷ୍କର୍ମ କରାଯାଇବୀଭତ୍ସ ଭାବରେ ହତ୍ୟା କରାଗଲା, ଏହା କ'ଣ ସତରେ କ୍ଷମଣୀୟ? ଆମକୁ ଭାରତ ବାହାରେ ନିଜର ସଂସ୍କୃତି ଓ ବୈଶିଷ୍ଟ୍ୟ ପ୍ରତିପାଦନ କଲାବେଳେ ନିଜ ଦେଶରେ ଏପରି ଜଘନ୍ୟ କାଣ୍ଡ ଆମ ଭିତରେ ଘଟିଯାଉଛି ଭାବିଲେ ଲଜ୍ୟାରେ ମୁଣ୍ଡ ତଳକୁ ହେଇଯାଉଛି ସତରେ । ଆମେ ଏସବୁ କାଣ୍ଡ କରିବା ପଛରେ ଏକ ଆସୁରୀୟ ପ୍ରବୃତ୍ତି ଓ କାମୁକତା ହିଁ ଆମ ଭିତରେ ଅନୁପ୍ରବେଶ କରିଯାଉଛି । ଆମେ ନିଜକୁ ସେଇ ଯୁଗକୁ ଫେରିଯାଇଛୁ ଯୋଉ ଯୁଗରେ "ମହାଭାରତ'ର କୁରୁକ୍ଷେତ୍ର ଯୁଦ୍ଧ ଘଟିଯାଇଥିଲା । ଗୋଟାଏ ବଂଶର ନିପାତ ମୂଳରେ ହିଁ ଥିଲା ଏହିପରି ଜଘନ୍ୟ, ଲଜ୍ଜାଶୀଳ ଘଟଣା ଏବଂ ରାବଣ ହେଉ କି ଦୁର୍ଯ୍ୟୋଧନ ହେଉ ଅବା ଦୁଶାସନ ହେଉ³ ଏମାନେ କ'ଣ ଆମକୁ ଶିଖାଇଥିଲେ ଏପରି ପବିତ୍ର ଭୂମିରେ ଗୋଟିଏ ଗୋଟିଏ "ନିର୍ଭୟା' କାଣ୍ଡ ଘଟାଇ ଏ ଭୂମିରେ ପୁଣି ଥରେ ମହାଯୁଦ୍ଧକୁ ଆହ୍ୱାନ କରିବାକୁ? ମଣିଷ ସମାଜ କ'ଣ ସତରେ ଚାହେଁ ଯଦୁବଂଶ ପରି ରକ୍ତପାତ କରିବାକୁ? ମଣିଷ ନିଜର ଧ୍ୱଂସ ପାଇଁ ସେଇ କୁ-କର୍ମକୁ ଆପଣେଇ ନେଇଛି ।
ଭାରତକୁ ସ୍ୱର୍ଗରେ ପରିଣତ କରିବା ବଦଳରେ ନର୍କରେ ପରିଣତ କରିବାକୁ ଚାହିଁଛି? ଆଜି ଏ ମଣିଷ ସମାଜ ପାଇଁ ଏହା ଏକ ମସ୍ତବଡ଼ ପ୍ରଶ୍ନ । ଏହାର ସମାଧାନ କ'ଣ? ଭାରତର ଲୋକମାନେ ଶାନ୍ତି ଚାହାଁନ୍ତିନି, ଜାଣିବା ଉଚିତ । କୌଣସି କାରଣରୁ ନାରୀ ପ୍ରତି ଅମର୍ଯ୍ୟାଦା କଲେ ମହିଷାସୁର ପରି ମୃତ୍ୟୁ ଭୋଗିବାକୁ ପଡ଼ିବ । ସେ ମୃତ୍ୟୁ ଅତ୍ୟନ୍ତ ଭୟଙ୍କର । ଆମେ ଏତେ ବୁଦ୍ଧିମାନ, ଶିକ୍ଷିତ ପଣ୍ଡିତ, ଜ୍ଞାନୀ, ହେଲେ ହେଁ ଏ ଅମାନୁଷିକ କାର୍ଯ୍ୟପାଇଁ ଆମେ ଟିକିଏ କୁଣ୍ଠା ପ୍ରକାଶ କରିପାରୁ । ଆମକୁ ଆମ ବିବେକ ବାଧା ଦେଉନି ସତରେ? ଭାରତୀୟ ସର୍ବେକ୍ଷଣ ସୂତ୍ରରୁ ସ୍ପଷ୍ଟ ଜଣାପଡ଼େ ଯେ, ୨୦୨୨ ମସିହାରେ ୨୫୦୦୦ ଗଣଦୁଷ୍କର୍ମ କେସ୍ ସୁପ୍ରିମକୋର୍ଟର ନଜରକୁ ଆସିଥିଲା । ଦଶବର୍ଷ ପରେ ୩୧୦୦୦ କେସ୍ ସଂଘଟିତ ହୋଇ ବିଚାର ପାଇଁ ଆସିଥିଲା ।
କହିବାକୁ ଗଲେ, ପ୍ରାୟତଃ ରିପୋର୍ଟ ଅନୁସାରେ ସାରା ଦେଶରେ ପ୍ରତିଦିନ ୯୦ଟି ଏପରି ଘଟଣା ଘଟୁଛି । ଆମେ ସତରେ "ନିର୍ଭୟା' କେସ୍ରୁ କିଛି ଶିକ୍ଷା ଗ୍ରହଣ କଲୁ ନାହିଁ । ଆମ ଦେଶର ଯୁବକ, ଯୁବତୀମାନେ, ସାଧାରଣ ଜନତା କେବେ ସତର୍କ ହେବେ? କେବେ ଏ ଅସାଧୁ ଆଚରଣ ତଥା ପାପକର୍ମରୁ ନିବୃତ୍ତ ରହିବେ? ଏହା ଆଜି ସମସ୍ତଙ୍କ ପାଇଁ ଆହ୍ୱାନ! ଏମିତି ଘଟଣା କ୍ରମାଗତ ଭାବରେ ଭାରତସାରା ଘଟିଚାଲିଛି । ଏହାର ପ୍ରତିକାର କରାଯାଇପାରିବ କି?
ଆଜି ରାବଣର ହସ ନୂତନ ରୂପ ନେଇଛି । ରାବଣ ହସରେ ସେ କ୍ରୁରତା ଆଉ ନାହିଁ- ଆମକୁ ଦେଖି ସେ ହସୁଛି ମୋ’ଠାରୁ ତୁମେମାନେ ଏତେ ନୀଚ ବର୍ବର, କାମୁକ ହେଇଗଲ କେମିତି? ସ୍ୱୟଂ ଭଗବାନ ତୁମକୁ ଅମୃତ ଦେଇ ଅମୃତସ୍ୟ ପୁତ୍ର ବୋଲି ଆଖ୍ୟାୟିତ କରିଥିଲେ । ମନୁଙ୍କର ବଂଶଧର ତୁମେ । ତୁମେ ଏମିତି ନରାଧମ, ଅପରାଧୀ, ନାରୀମାଂସଲୋଭୀ କେମିତି ହେଇଗଲ! ଏ ସୃଷ୍ଟି ରହିବ ତ, ତା' ତାତ୍ସଲ୍ୟର ହସ ଶୁଣି ପାରୁଛନ୍ତି ତ?