ନୂଆଦିଲ୍ଲୀ ୧୫/୦୯: ବିଶାଳ ଦୈତ୍ୟାକୃତି କୁମ୍ଭୀର ସହ ମଣିଷର ମୁହାଁମୁହିଁ । ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ଏକ ବିଶାଳ ନାଇଲ କୁମ୍ଭୀର ସହ ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ବ୍ୟକ୍ତିତ୍ୱ ରୋବର୍ଟ ଆଲେଭାଙ୍କ ସାକ୍ଷାତ ଦର୍ଶକଙ୍କୁ ଚକିତ କରିଛି । ‘କିଙ୍ଗ୍ସ ଅଫ୍ ପେନ୍’ କାର୍ଯ୍ୟକ୍ରମର ସହସଂଚାଳକ ଆଲେଭା ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି । ଏଥିରେ ସେ ଦକ୍ଷିଣ ଆଫ୍ରିକାର କ୍ରୋକ୍ୱର୍ଲଡ୍ କନ୍ଜର୍ଭେସନ୍ ସେଣ୍ଟର୍ରେ ରହୁଥିବା ୧୨୪ ବର୍ଷୀୟ କୁମ୍ଭୀର ହେନରୀ ସହ ସାକ୍ଷାତକୁ ଦର୍ଶାଇଛନ୍ତି । ପୋଖରିରେ ତାଙ୍କର ଅତି ନିକଟରେ ଅନ୍ୟ କୁମ୍ଭୀର ମଧ୍ୟ ଆରାମ କରୁଥିବା ନଜର ଆସିଛନ୍ତି । ଯଦି ସେମାନେ ଟିକିଏ ବୁଲିଥାନ୍ତେ, ଆଲେଭାଙ୍କ ପାଇଁ ଘାତକ ହୋଇଥାନ୍ତା ।
ଭିଡିଓ ଶେୟାର କରି ଆଲେଭା ଲେଖିଛନ୍ତି ‘ବହୁତ ଦିନରୁ ମୁଁ ଭୟଭୀତ ଅନୁଭବ କରିନାହିଁ । ଏହା ଆଶ୍ଚର୍ଯ୍ୟଜନକ । ଆଲେଭା ଭିଡିଓରେ ହେନରୀର ଗୋଟିଏ ଗୋଡ଼ରେ ନିଜର ପାଦ ରଖିବା ପରେ ସେ ଚିତ୍କାର କରୁଛି । ତା’ର କଣ୍ଟକିତ ତ୍ୱଚାରେ ଆଲେଭା ହାତ ବୁଲାଇବା ପରେ ସେ ଶାନ୍ତ ହୋଇଗଲା ।
ଆଲେଭା କହିଛନ୍ତି ‘ଷ୍ଟିଭ୍ ବ୍ୟାକ୍ଶାଲଙ୍କ ସହିତ ହେନରୀକୁ ଦେଖିବା ପରଠୁ ମୁଁ ଏହି ନାଇଲ କୁମ୍ଭୀରକୁ ଭେଟିବାକୁ ଚାହୁଁଥିଲି । ଆପଣ ଯଦି ଏହା ଇଚ୍ଛା କରୁଛନ୍ତି, ସତର୍କ ହୁଅନ୍ତୁ । ମୁଁ ଯେତିକି ଭୟଭୀତ, ସେତିକି ରୋମାଞ୍ଚିତ ଥିଲି । ଏହି ବିଶାଳକାୟ ଜୀବ ସହ ସାକ୍ଷାତ ସୁଯୋଗ ଦେଇଥିବାରୁ କ୍ରୋକ୍ୱର୍ଲଡ୍କୁ ବହୁତ ଧନ୍ୟବାଦ ।’ ୧୯୯୦ ମସିହାରେ ଜନ୍ମିତ ହେନରୀ ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ରୂପେ ପରିଚିତ । ଖୁବ୍ଶୀଘ୍ର ସେ ୧୨୪ତମ ଜନ୍ମଦିନ ପାଳନ କରିବ । ଭିଡିଓଟିକୁ ଅଦ୍ୟାବଧି ୪୦ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି । ଅନେକ ଆଲେଭାଙ୍କ ସାହସକୁ ପ୍ରଶଂସା କରୁଥିବାବେଳେ କିଛି ଏହି ଭୟଙ୍କର ଜନ୍ତୁର ନିକଟତର ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ।