ନୂଆଦିଲ୍ଲୀ, ୦୩/୦୬ : ବିବାହ ବନ୍ଧନରେ ବାନ୍ଧି ହେଲେ ମିଡିଆ ଟାଇକୁନ ରୁପର୍ଟ ମର୍ଡୋକ୍। ୯୩ ବର୍ଷରେ ୫ମ ଥର ପାଇଁ କଲେ ବିବାହ। ୬୩ ବର୍ଷୀୟା ଏଲେନା ଝୁକୋବାଙ୍କୁ କଲେ ହମସଫର। ରବିବାର କାଲିଫର୍ଣ୍ଣିଆର ମୋରାଗା ୱାଇନୟାର୍ଡରେ ମହାସମାରୋହରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବ୍ରିଟିସ୍ ଖବରକାଗଜ ଦ ସନ୍ରେ ପ୍ରକାଶ ପାଇଛି ଦୁହିଁଙ୍କ ଫଟୋ । ଏଲେନା ଝୁକୋବା ଜଣେ ଅବସରପ୍ରାପ୍ତ ବାୟୋଲୋଜିଷ୍ଟ।
ରୁପର୍ଟଙ୍କ ତୃତୀୟ ପତ୍ନୀଙ୍କ ଦ୍ଵାରା ଆୟୋଜିତ ଏକ ଫ୍ୟାମିଲି ଫଙ୍କସନ୍ରେ ଏଲେନାଙ୍କ ସହ ହୋଇଥିଲା ଦେଖାସାକ୍ଷାତ। ପ୍ରଥମ ଦେଖାରେ ହିଁ ଏଲେନାଙ୍କୁ ଦିଲ୍ ଦେଇ ବସିଥିଲେ ରୁପର୍ଟ। ଏହାପରେ ଉଭୟ ଉଭୟଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ । ଆଉ ଶେଷରେ ବିବାହ କରିବାକୁ ମନସ୍ଥ କରିଥିଲେ । ଯାହାର ପରିଣତି ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରୁପର୍ଟ ମର୍ଡୋକ୍ ଏବଂ ଏଲେନା ଝୁକୋବା ।
୪ଥର ବିବାହ କରିସାରିଥିବା ଏହି ମିଡିଆ ଟାଇକୁନଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ପେଟ୍ରିସିୟା ବୁକର। ସେ ଜଣେ ଫ୍ଲାଇଟ୍ ଆଟେଡାଣ୍ଟ ଥିଲେ। ସେହିପରି ରୁପର୍ଟଙ୍କ ଦ୍ଵିତୀୟ ପତ୍ନୀ ହେଉଛନ୍ତି ଅନ୍ନା ତୋରୱ। ସେ ଜଣେ ଖବରକାଗଜ ସାମ୍ବାଦିକ ଥିଲେ। ସିଡନୀରେ ଥିବା ରୁପର୍ଟଙ୍କ ଡେଲି ମିରର ଖବରକାଗଜରେ ଅନ୍ନା ରିପୋର୍ଟର ଥିବା ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ୩୨ ବର୍ଷ ପରେ ୧୯୯୯ରେ ଅନ୍ନା ଏବଂ ରୁପର୍ଟଙ୍କ ବିଚ୍ଛେଦ ହୋଇଥିଲା। ଦ୍ଵିତୀୟ ବିବାହରେ ରୁପର୍ଟଙ୍କର ୩ ସନ୍ତାନ ହୋଇଥିଲେ। ଏଲିଜାବେଥ୍, ଲଚଲାନ ଏବଂ ଜେମ୍ସ ନାମକ ତାଙ୍କର ୩ ସନ୍ତାନ ଅଛନ୍ତି। ଏହାପରେ ରୁପର୍ଟ ଜଣେ ଚିନୀ ବ୍ୟବସାୟୀ ୱେଣ୍ଡି ଡେଙ୍ଗଙ୍କ ସହ ତୃତୀୟ ବିବାହ କରିଥିଲେ। ସେ ତାଙ୍କଠାରୁ ୩୦ ବର୍ଷ ସାନ ଥିଲେ। ତୃତୀୟ ବିବାହରୁ ତାଙ୍କର ୨ଟି ସନ୍ତାନ ହୋଇଥିଲେ। ଏହାପରେ ସେ ଜେରି ହଲଙ୍କ ସହ ଚତୁର୍ଥ ବିବାହ କରିଥିଲେ। ହେଲେ ବେଶୀ ଦିନ ଯାଏଁ ଏହି ବିବାହ ଚାଲି ପାରିନଥିଲା। ଜେରିଙ୍କ ଠାରୁ ଅଲଗା ହେବାପରେ ଏବେ ରୁପର୍ଟ ପଞ୍ଚମ ଥର ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
୧୯୩୧ ମସିହା ମାର୍ଚ୍ଚ ୧୧ରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଜନ୍ମଗ୍ରହଣ କରିଥିଲେ ରୁପର୍ଟ ମର୍ଡୋକ। ଟିଭି ଦୁନିଆ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିବା ରୁପର୍ଟ ଜଣେ ମିଡିଆ ଟାଇକୁନ। ସେ ଦ ସନ୍ ଏବଂ ଟାଇମ୍ସ ଖବରକାଗଜ ସହ ଆମେରିକାର ଫକ୍ସ ନ୍ୟୁଜ୍ ଏବଂ ଦ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ର ମାଲିକ। ରୁପର୍ଟ ଗତ ବର୍ଷ ନଭେମ୍ଵରରେ ବୈଶ୍ଵିକ ମିଡିଆ ସାମ୍ରାଜ୍ୟରୁ ଅବସର ନେଇଥିଲେ ଏବଂ ତାଙ୍କ ପୁଅ ଲ୍ୟାଚଲନଙ୍କୁ ଏହାର ଦାୟିତ୍ଵ ଦେଇଥିଲେ।