ନୂଆଦିଲ୍ଲୀ : ୟୁକ୍ରେନ-ରୁଷ୍ ଯୁଦ୍ଧ ମଧ୍ୟରେ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଆମେରିକାକୁ ଦେଇଛନ୍ତି ଚେତାବନୀ। ଯଦି ପାଶ୍ଚାତ ଦେଶ ଗୁଡ଼ିକ ୟୁକ୍ରେନକୁ ରୁଷ୍ ଉପରେ ହମଲା କରିବାକୁ ଦୂରଗାମୀ ମିସାଇଲର ବ୍ୟବହାର ନେଇ ଅନୁମତି ଦିଅନ୍ତି ତ, ସ୍ଥିତି ହୋଇପାରେ ସାଂଘାତିକ ଏବଂ ଦୁନିଆ ୩ୟ ବିଶ୍ୱଯୁଦ୍ଧ ଆଡ଼କୁ ଗତି କରି ପାରେ। ଲାଭରୋଭ ମସ୍କୋରେ ସାମ୍ୱାଦିକଙ୍କୁ କହିଛନ୍ତି , ରୁଷ୍ ଉପରେ ହମଲା କରିବାକୁ ପାଶ୍ଚାତ ଦେଶ ଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇ ଥିବା ମିସାଇଲକୁ ଯଦି ବ୍ୟବହାର କରିବାକୁ ଅନୁମତି ଦିଆଯାଏ ତ, ଏହା ନିଆଁ ସହ ଖେଳିବା ଭଳି ହେବ। ଏହାର ଭୟଙ୍କର ପରିଣାମ ପୂରା ଦୁନିଆକୁ ସହିବାକୁ ପଡି଼ପାରେ ବୋଲି ସର୍ଗେଇ ଚେତାଇ ଦେଇଛନ୍ତି।
ଏହାସହ ଲାଭରୋଭ ଆମେରିକା ସମେତ ଅନେକ ପାଶ୍ଚାତ ଦେଶ ଗୁଡ଼ିକୁ ୟୁକ୍ରେନର ଏହି ଅନୁରୋଧକୁ ଏଡେଇ ଦେବାକୁ କହିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି , ଆମେରିକା ଓ ବ୍ରିଟେନକୁ ଅନୁରୋଧ କରିଛନ୍ତି। ପାଶ୍ଚାତ ଦେଶ ସମୂହ ଦ୍ୱାରା ପ୍ରଦାନ କରାଯାଇ ଥିବା ଦୂରଗାମୀ ମିସାଇଲକୁ ରୁଷ୍ ବିରୋଧରେ ବ୍ୟବହାର କରିବା ନେଇ ଅନୁମତି ଦେବାକୁ କହିଛନ୍ତି। ୟୁକ୍ରେନର ବାରମ୍ୱାର ଅନୁରୋଧ ସତ୍ତ୍ୱେ ଆମେରିକା କିନ୍ତୁ ନିଜର ଆଭିମୁଖ୍ୟ ଉପରେ ସ୍ଥିର ରହିଛି। ବହୁ ଦୂରଗାମୀ ଅସ୍ତ୍ରର ବ୍ୟବହାର କେବଳ ୟୁକ୍ରେନ ମାଟିରେ ହିଁ କରାଯାଉ ଏବଂ କୌଣସି ବି ମୂଲ୍ୟରେ ଏହି ଅସ୍ତ୍ରକୁ ରୁଷ୍ର ଭୌଗୋଳିକ ସୀମାରେ ନକରିବାକୁ ଆମେରିକା କହିଛି।
ରୁଷ୍ କହିଛି , ଯଦି ପାଶ୍ଚାତ୍ ଦେଶ ଗୁଡ଼ିକ ୟୁକ୍ରେନର ଅନୁରୋଧକୁ ମାନି ନିଅନ୍ତି ତ ୟୁକ୍ରେନ-ରୁଷ୍ ଯୁଦ୍ଧର ଦିଗ ବଦଳି ଯାଇ ପାରେ। ଏଥିପାଇଁ , ଲାଭରୋଭ କିଭ୍ର ଅନୁରୋଧ ଉପରେ ବିଚାର କରିବା ବିରୋଧରେ ପାଶ୍ଚାତ୍ ଦେଶ ସମୂହକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି , ଆମେ କେବଳ ବହୂ ଦୂରଗାମୀ ମିସାଇଲର ବ୍ୟବହାର ଆମେରିକା ଦ୍ୱାରା ଅନୁମତି ଦେବା ବିଷୟରେ ବହୁ ଦିନରୁ ହେଉଥିବା ଅଟକଳକୁ ଶୁଣିଛୁ। ୱାଶିଂଟନରେ କିଛି ଗୋପନ ସୂତ୍ରାନୁସାରେ, ୟୁକ୍ରେନର ଅନୁରୋଧକୁ ସକରାତ୍ମକ ନଜରରେ ଦେଖାଯାଉଛି।
ଲାଭରୋଭ କହିଛନ୍ତି , ଏହା ଆମେରିକା ଦ୍ୱାରା ବ୍ଲାକ୍ମେଲିଂ ଭଳି ଏବଂ ପୂରା ଦୁନିଆକୁ ଏହା ଦେଖାଇ ହେବାକୁ ଚେଷ୍ଟା କରୁଛି ଯେ, ପାଶ୍ଚାତ ଦେଶ ସ୍ଥିତିକୁ ଆହୁରି ଅଧିକ ଖରାପ ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି, କିନ୍ତୁ ବାସ୍ତବରେ , ଏହା ଏକ ଧୋକା ସଦୃଶ। ସେ କହିଛନ୍ତି କି ବାସ୍ତବିକତା ଏହା ଯେ, ପାଶ୍ଚାତ୍ ଦେଶ ସ୍ଥିତିକୁ ଅତି ସାଂଘାତିକ ହେବାରୁ ବଞ୍ଚାଇବାକୁ ନୁହେଁ , ବରଂ ସ୍ଥିତିକୁ ଆହୁରି ବିଗାଡି଼ବା ପାଇଁ ୟୁକ୍ରେନକୁ ଉସୁକାଉଛନ୍ତି।
ଲାଭରୋଭ ୟୁକ୍ରେନକୁ ପରମାଣୁ ଅସ୍ତ୍ର ପ୍ରଦାନ କରାଯିବା ମାମଲାରେ କହିଛନ୍ତି , ଆମେ ପୁଣି ଥରେ ଏହା ସ୍ପଷ୍ଟ କରୁଛୁ କି, ସେମାନେ ସମସ୍ତେ ନିଆଁ ସହ ଖେଳୁଛନ୍ତି , କାରଣ ୟୁକ୍ରେନକୁ ପାଶ୍ଚାତ ଦେଶ ସମୂହ ଛୋଟ ପିଲା ଭଳି ଦିଆସିଲି ରୂପକ ପରମାଣୁ ଅସ୍ତ୍ର ଧରାଇ ଦେଇଛନ୍ତି। ଯେଉଁଥିରେ ଅତିଶୀଘ୍ର ନିଆଁ ଲାଗି ବିସ୍ଫୋରକ ରୂପ ନେଇପାରେ।