ନୂଆଦିଲ୍ଲୀ,୬।୮: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଦଙ୍ଗାରେ ପରିଣତ ହୋଇଛି। ସେଥିପାଇ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଦେବାକୁ ପଡିଛି ପଦରୁ ଇସ୍ତଫା। ସେନା ହେଲିକପ୍ଟରରେ ଭାରତ ଆସିଥିବା ହସିନାଙ୍କ ଆଗାମୀ ଯାତ୍ରା ଯୋଜାନାକୁ ନେଇ କିଛି ଅନିଶ୍ଚିତା ରହିଛି। କିଛି ଦିନ ପର୍ଯ୍ୟନ୍ତ ଭାରତରେ ରହିବାର ସମ୍ଭାବନା ରହିଛି।
ହସିନା ଇସ୍ତଫା ଦେବାପରେ ଦିଲ୍ଲୀର ହିଣ୍ଡନ ଏୟାରବେସ୍ରେ ପହଁଞ୍ଚିଲେ। ସେ କଡା ସୁରକ୍ଷା ମଧ୍ୟରେ ଏକ ଅଜଣା ସ୍ଥାନରେ ଆଶ୍ରୟ ନେଇଛନ୍ତି। ଯଦିଓ ସେ ଭାରତରୁ ଲଣ୍ଡନ ଯିବାର ଥିଲେ, କିନ୍ତୁ ଏବେ ଅନ୍ୟ ସ୍ଥାନକୁ ଯିବା ନେଇ ବିଚାର କରୁଛନ୍ତି। ବ୍ରିଟିସ୍ ଗୃହ ମନ୍ତ୍ରଣାଳୟର କହିବା ଅନୁସାରେ, ଇମିଗ୍ରେସନ୍ ନିୟମରେ କୌଣସି ବ୍ୟକ୍ତିଙ୍କୁ ଶରଣ କିମ୍ବା ଅସ୍ଥାୟୀ ଶରଣ ଦେବା ପାଇଁ ଅନୁମତି ନାହିଁ। ଏଭଳି ଶରଣ କାହାକୁ ବି ସେହି ଦେଶକୁ ମାଗିବା ଦରକାର, ଯେଉଁଠି ସେ ସବୁଠାରୁ ପ୍ରଥମେ ସୁରକ୍ଷିତ ପହଁଞ୍ଚିଛନ୍ତ। ଏଭଳି ଭାବରେ ବ୍ରିଟେନ୍ ଗୋଟେ ପ୍ରକାର ହସିନାଙ୍କୁ ଭାରତରେ ହିଁ ଶରଣ ନେବାକୁ ପରାମର୍ଶ ଦେଇଛି।
ନିକଟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସର କୀର ଷ୍ଟାରମର ଗତ ମାସ ଲେବର ପାର୍ଟିର ବଡ ବିଜୟ ପରେ କହିଥିଲେ, ଶରଣ ଚାହୁଁଥିବା ଲୋକଙ୍କୁ ପ୍ରଥମେ ସୁରକ୍ଷିତ ଦେଶରେ ଶରଣ ନେବା ଦରକାର। ବ୍ରିଟେନ୍ ପାଖରେ ବଡ଼ ବଡ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ଦେବାର ରେକର୍ଡ ରହିଛି। ତେବେ କାହାକୁ ଶରଣ କିମ୍ବା ଅସ୍ଥାୟୀ ଶରଣ ନେବା ପାଇଁ ବ୍ରିଟେନ୍ ଯାତ୍ରା କରିବାର ଅନୁମତି ଦେବାର ନିୟମ ନାହିଁ।