ନୂଆଦିଲ୍ଲୀ: ଶେଖ ହସିନା ବାଂଲାଦେଶ ଛାଡ଼ିବା ପରେ ପ୍ରଥମ ଥର ଲାଗି ସାର୍ବାଜନୀନ ଭାବରେ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ହସିନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବାଂଲାଦେଶରେ ହୋଇଥିବା ହିଂସାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ହିଂସାକାଣ୍ଡ ଭିଆଇଥିବା ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶେଖ ହସିନା ଅପିଲ କରିଛନ୍ତି । ତାଙ୍କର ଏହି ପ୍ରତିକ୍ରିୟା ପୁଅ ସାଜୀବ ଓ୍ବାଜେଦ ଜୟ ଏକ୍ସରେ ଶେୟାର କରିଛନ୍ତି । ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିବା ଏବଂ ତାଙ୍କ ବାସଭବନରେ ଅଗ୍ନିକାଣ୍ଡକୁ ନେଇ ହସିନା ଦୁଃଖ ପ୍ରକାଶ କରିଛନ୍ତି ।
ଶେଖ ହସିନା ପ୍ରଥମେ ତାଙ୍କ ପିତା ତଥା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ହତ୍ୟା ସଂପର୍କରେ କହିଛନ୍ତି । ସେ କହିଛନ୍ତି ଯେ, ‘ଭାଇ ଏବଂ ଭଉଣୀମାନେ ୧୫ ଅଗଷ୍ଟ ୧୯୭୫ରେ ବାଂଲାଦେଶର ତତ୍କାଳୀନ ରାଷ୍ଟ୍ରପତି ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ନିର୍ମମ ହତ୍ୟା କରାଯାଇଥିଲା । ମୋ ମନରେ ତାଙ୍କ ପ୍ରତି ଗଭୀର ସମ୍ମାନ ରହିଛି । ୧୫ ଅଗଷ୍ଟରେ ସହିଦ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।’
ସେ ଆହୁରି କହିଛନ୍ତି, ଜୁଲାଇ ମାସରୁ ଏବେ ଯାଏଁ ଆନ୍ଦୋଳନ ନାଁରେ ଭଙ୍ଗାରୁଜା, ଜଳାପୋଡ଼ା ଏବଂ ହିଂସାରେ ଅନେକ ଲୋକଙ୍କ ଜୀବନ ଯାଇଛି । ଛାତ୍ର, ଶିକ୍ଷକ, ପୋଲିସ, ସାମ୍ବାଦିକ, ସାମାଜିକ କର୍ମୀ, ସାଧାରଣ ଲୋକ, ଆଓ୍ବାମୀ ଲିଗର ନେତା, କାର୍ଯ୍ୟକର୍ତ୍ତା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏ ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଁ ଶୋକ ପ୍ରକାଶ କରୁଛି ଏବଂ ସେମାନଙ୍କ ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା କରୁଛି । ହତ୍ୟା ଏବଂ ବର୍ବରତାରେ ସାମିଲ ଲୋକଙ୍କୁ ଖୋଜି ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରୁଛି ବୋଲି ସେ କହିଛନ୍ତି ।