ଭୁବନେଶ୍ୱର,୦୯/୦୬: କଂଗ୍ରେସର ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷ ରାଜ୍ୟର ମୁସଲମାନ ସମ୍ପ୍ରଦାୟରୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟିକା । ପୂର୍ବରୁ ରାଜ୍ୟରେ ମୁସଲମାନ ସମ୍ପ୍ରଦାୟରୁ କୌଣସି ମହିଳା ଓଡ଼ିଶାର ବିଧାୟିକା ହୋଇ ନଥିଲେ। ସୋଫିଆ ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ।
ଚଳିତ ଥର ଆଇନଗତ ସମସ୍ୟା ଯୋଗୁଁ ତାଙ୍କ ବାପା ନିର୍ବାଚନ ଲଢ଼ିନଥିଲେ । ହେଲେ ପୂର୍ବ ନିର୍ବାଚନଗୁଡ଼ିକରେ ସୋଫିଆ ବାପାଙ୍କ ପାଇଁ ବୁଲି ବୁଲି ନିର୍ବାଚନ ପ୍ରଚାର କରିବା ସହିତ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରଚାର କରୁଥିଲେ । ଗତ ଦିନରେ ଲୋକଙ୍କ ସହ ରଖିଥିବା ଜନସମ୍ପର୍କ ଓ ଅନୁଭୂତି ତାଙ୍କୁ ଜିତିବାରେ ସାହାଯ୍ୟ କରିଛି । ସେ ବିଜେପି ପ୍ରାର୍ଥୀ ତଥା ପ୍ରସିଦ୍ଧ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮ ହଜାର ଭୋଟ୍ ବ୍ୟବଧାନରେ ହରାଇଛନ୍ତି । ବିଜେଡିରୁ ଲଢ଼ୁଥିବା ପ୍ରକାଶ ଚନ୍ଦ୍ର ବେହେରା ତୃତୀୟ ସ୍ଥାନରେ ରହିଥିଲେ ।
ସୋଫିଆଙ୍କର ବାପାଙ୍କ ଘର ଓ ଶ୍ୱଶୁର ଘର କଟକ । କଟକର ସେଣ୍ଟ ଯୋସେଫ୍ ବାଳିକା ଉଚ୍ଚ ବିଦ୍ୟାଳୟରୁ ୨୦୦୭ରେ ସେ ଦଶମ ପାସ୍ କରିଥିଲେ । ପରେ ୨୦୦୯ରେ ରେଭେନ୍ସା ଜୁନିୟର୍ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲେ । ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିବା ପରେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ଏମ୍ବିଏ କରିଥିଲେ । ଏବେ ସେ ତାଙ୍କ ବାପାଙ୍କ କମ୍ପାନି ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶିକା ଅଛନ୍ତି ।