ଭୁବନେଶ୍ୱର,୦୬/୦୮: ପିସିସି ଭାଙ୍ଗିବାର ୧୫ ଦିନ ବିତିଲାଣି । ତଥାପି ଘୋଷଣା ହୋଇପାରୁନି ନୂଆ କମିଟି । ଏବେ ସଂସଦର ବଜେଟ୍ ଅଧିବେଶନ ଚାଲିଛି । ସେଥିରେ ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧି ବ୍ୟସ୍ତ ରହୁଛନ୍ତି । ତା’ ସାଙ୍ଗକୁ କେରଳ ୱାୟନାଡ଼ରେ ଭୂସ୍ଖଳନ ମହାବିପତ୍ତି ପରେ ରାହୁଲ ବାରମ୍ବାର ଗସ୍ତ କରୁଛନ୍ତି । ସେଠାରେ ସେ ସାଂସଦ ଥିଲେ । ପୁଣି ପ୍ରିୟଙ୍କା ସେଠୁ ଲଢ଼ିବେ । ତେଣୁ ସେଠି ରାହୁଲ ଅଧିକାଂଶ ସମୟ ଦେଉଛନ୍ତି । ଏଆଇସିସି ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସଂସଦ ଅଧିବେଶନ ଚାଲୁଥିବାରୁ ବିଭିନ୍ନ କାମରେ ବ୍ୟସ୍ତ ଅଛନ୍ତି । ତେଣୁ ଏବେ ଓଡ଼ିଶା ପିସିସି କମିଟି ଘୋଷଣାର ଆଶା ଦେଖାଯାଉନି । ୧୨ ତାରିଖରେ ସଂସଦର ବଜେଟ୍ ଅଧିବେଶନ ସରିବା ପରେ ଓଡ଼ିଶା ପିସିସି ଘୋଷଣା ହୋଇପାରେ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ପିସିସି ସଭାପତି ଦୌଡ଼ରେ ରାଜ୍ୟ କଂଗ୍ରେସ ଦୁଇ ଗୋଷ୍ଠୀରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀରେ ସାଂସଦ ସପ୍ତଗିରି ଉଲାକା ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀରେ କିଛି ଅସନ୍ତୁଷ୍ଟ ବିଧାୟକ ଅଛନ୍ତି । ତେବେ ଆଶାୟୀ ସଂଖ୍ୟା କିନ୍ତୁ ଅଧିକ ।
ଏହି ତାଲିକାରେ ସାଂସଦ ସପ୍ତଗିରି ଉଲ୍ଲାକା, ଏଆଇସିସି ସମ୍ପାଦକ ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନାମ ଶୁଣିବାକୁ ମିଳୁଛି । ହାଇକମାଣ୍ଡ ଯୁବ ଚେହେରାଙ୍କୁ ଦାୟିତ୍ୱ ଦେଇ ୨୦୨୯ରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ।
ଅପରପକ୍ଷେ, ପିସିସି ସଭାପତି ହେବା ପାଇଁ ନେତାମାନେ ଦିଲ୍ଲୀ ଗସ୍ତ କରି ଲବି ଆରମ୍ଭ କରି ଦେଇଛନ୍ତି । ସେମାନେ ସମର୍ଥକମାନଙ୍କୁ ଧରି ଦିଲ୍ଲୀ ଯାଉଛନ୍ତି । କେବେ କେବେ ନିଜେ ନ ଯାଇ ତାଙ୍କ ସପକ୍ଷରେ କହିବାକୁ ନେତାମାନଙ୍କୁ ବିମାନ ଟିକଟ କରି ଦିଲ୍ଲୀ ପଠାଉଛନ୍ତି । ଏଆଇସିସି ମଧ୍ୟ ନିଜ ଆଡ଼ୁ ବହୁ ବରିଷ୍ଠ ନେତାଙ୍କୁ ଡକାଇ ମତ ନେଇଛି । ଓଡ଼ିଶା କଂଗ୍ରେସ ବାବଦରେ ପଚାରି ବୁଝିବା ପାଇଁ ପୂର୍ବତନ ପ୍ରଭାରୀ ଅଜୟ ମାକେନ ଓ ପୂର୍ବତନ ଛାତ୍ରକଂଗ୍ରେସ ରାଷ୍ଟ୍ରୀୟ ସଭାପତି ତାରିକ୍ ଅନୱାରଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ମଧ୍ୟ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି ।