ଅନୁଗୁଳ,୪।୧୧(ବ୍ୟୁରୋ): ଲେଡିଜ୍ ହଷ୍ଟେଲ୍ରେ ଚାଞ୍ଚଲ୍ୟକର ଘଟଣା । ଶୋଇଥିବା ଅବସ୍ଥାରେ ଛାତ୍ରୀଙ୍କ ତଣ୍ଟି କିଏ କାଟିଦେଇଛି। ଅନୁଗୁଳ ସହରରେ ଏକ ଘରୋଇ କଲେଜର ହଷ୍ଟେଲ୍ରେ ଏଭଳି ଘଟଣା ଘଟିଛି । ଗୁରୁତର ଛାତ୍ରୀ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୁଲିସ୍ ଘଟଣାକୁ ଗୁରୁତ୍ବର ସହ ନେଇ ଖୋଳତାଡ ଆରମ୍ଭ କରିଛି।
ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠରେ ଏକ ଘରୋଇ କଲେଜ ଥିବା ବେଳେ ଏହାର ଲେଡିଜ୍ ହଷ୍ଟେଲ୍ ସହରରେ ରହିଛି । ଏହି ହଷ୍ଟେଲ୍ରେ ଦଣ୍ଡପା ଥାନା ଇଲାକାର ଜଣେ ଯୁକ୍ତ ୨ ପ୍ରଥମ ଶ୍ରେଣୀ ଛାତ୍ରୀ ରୁହନ୍ତି । ସେ ଶୁକ୍ରବାର ରାତିରେ ନିଜ ରୁମରେ ଆଉ ୨ ସହପାଠୀଙ୍କ ସହ ଶୋଇଥିଲେ। ମାତ୍ର ରାତି ପ୍ରାୟ ୧୨ଟା ୧୫ ବେଳକୁ ତାଙ୍କ ତଣ୍ଟି କିଏ କାଟି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କଣାଇବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବେକରେ ତିନୋଟି ଷ୍ଟିଚ୍ ପଡ଼ିଛି । ଶନିବାର ସକାଳେ ଛାତ୍ରୀଙ୍କ ପରିବାର ଲୋକ ପହଞ୍ଚିବା ପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ହଷ୍ଟେଲ୍ରେ ପହଞ୍ଚି ଛାନ୍ଭିନ୍ ଚଳାଇଛି।