ଭୁବନେଶ୍ଵର, ୧୨/୦୯ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ଏକ ଲିଖିତ ବିବୃତ୍ତି ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଠ ସପ୍ତାହ ମଧ୍ୟରେ ଓଡ଼ିଶା ଦାଖଲ କରିଥିବା ମକୋଦ୍ଦମାର ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଓଡ଼ିଶାକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । କାରଣ କୋର୍ଟରେ ଶୁଣାଣି ସମୟରେ ଓଡ଼ିଶା ତରଫରୁ କେହି ହାଜର ହୋଇ ନଥିଲେ। ଆସନ୍ତା ନଭେମ୍ଵର ୨୩ରେ ପରବର୍ତ୍ତୀ ଶୁଣାଣି ହେବ। ବିବାଦୀୟ କୋଟିଆ ଗ୍ରାମଗୁଡିକର ମାଲିକାନା ତଥା ପରିଚାଳନା ପାଇଁ ରାଜ୍ୟର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ଘୋଷଣା କରିବାକୁ ଓଡ଼ିଶା ସର୍ବୋଚ୍ଚ ନ୍ୟାୟାଳୟକୁ ନିବେଦନ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘବର୍ଷ ଧରି ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । ସମ୍ବିଧାନର ଧାରା ୧୩୧ ଅନୁସାରେ କୋଟିଆ ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ୨୦୦୬ ମସିହାରେ ସୁପ୍ରିମ୍କୋର୍ଟ ମତବ୍ୟକ୍ତ କରିବା ସହ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିଥିଲେ । ଏଥିସହ ଉଭୟ ରାଜ୍ୟ କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁପ୍ରିମ୍କୋର୍ଟଙ୍କ କଟକଣା ସତ୍ତେ୍ୱ ୨୦୨୦-୨୧ରେ ଆନ୍ଧ୍ରପ୍ରଦେଶ ସରକାର ଉକ୍ତ ଅଞ୍ଚଳରେ ତ୍ରିସ୍ତରୀୟ ନିର୍ବାଚନ କରିଥିଲା । ଯାହାକୁ ନେଇ ଓଡ଼ିଶା ସରକାର ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା ।