ଭୁବନେଶ୍ବର, ୨୬।୯ : ଆଖି ବୁଜିଲା ହାତୀ ଅଭି। ପ୍ରାଣୀ ଉଦ୍ୟାନରେ ୧୭ମାସର ହାତୀ 'ଅଭି'ର ମୃତ୍ୟୁ ଘଟିଛି। ପ୍ରାଣୀ ଚିକିତ୍ସାଳୟ ନିକଟରେ ରହୁଥିବା ହାତୀ ଅଭି ହର୍ପିସ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲା। ତାର ହର୍ପିସ ପଜିଟିଭି ବାହାରିବା ପରଠାରୁ ବିଶେଷଜ୍ଞ ମାନେ ଆସି ଚିକିତ୍ସା ଜାରି ରଖିଥିଲେ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଶେଷରେ ଆଜି ଆଖି ବୁଜିଛି।
ସୋମବାର ସକାଳୁ ଅଭି ଗୋଟିଏ ସ୍ଥାନରେ ଶୋଇ ରହୁଥିବାବେଳେ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା। ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ୨୪ ଘଣ୍ଟିଆ ଅଭି ଉପରେ ନଜର ରଖିଥିଲେ। ଅଭି' କୁ ଶୀଘ୍ର ସୁସ୍ଥ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନର ହାତୀ ବିଶେଷଜ୍ଞ ମାନଙ୍କ ସହିତ ଯୋଗାଯୋଗ କରି ଚିକିତ୍ସା ଜାରୀ ରଖିଥିଲେ । ଗତ ବର୍ଷ ଜୁନ୍ ମାସରେ ଅଭି ଦୁଇ ମାସର ହୋଇଥିବା ବେଳେ କେନ୍ଦୁଝର ଜଙ୍ଗଲରେ ହାତୀ ପଲରୁ ଅଲଗା ହୋଇ ଖାଲରେ ପଡ଼ି ଯାଇଥିଲା। ସେଠାରୁ ତାକୁ ଉଦ୍ଧାର କରାଯାଇ ପ୍ରାଣୀ ଉଦ୍ୟାନରେ ରଖା ଯାଇଥିଲା।