ଭୁବନେଶ୍ୱର, ୨୯/୦୮ : ଖଣ୍ଡଗିରି ଥାନାକୁ ନ୍ୟାୟ ମାଗିବାକୁ ଆସିଥିବା ମହିଳାଙ୍କୁ ଏସଆଇ ମାଡ଼ ମାରିବା ଘଟଣା। ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଲେ ପୀଡ଼ିତା। ସଂପୃକ୍ତ ମହିଳା ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହା ସହ ପୀଡ଼ିତା ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ସେପଟେ ଅଭିଯୋଗକାରିଣୀଙ୍କୁ ମାଡ଼ ମାରିବା ଲେଡି ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ସବ୍ଇନ୍ସପେକ୍ଟର ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାନୁଯାୟୀ, ଖଣ୍ଡଗିରି ଜାଗମରା ବରବାରୀ ଅଞ୍ଚଳର ଲକ୍ଷ୍ମୀ ଡାକୁଆ ପଡ଼ୋଶୀଙ୍କ ସହ ବାଇକ୍ ରଖିବାକୁ ହୋଇଥିବା ଝଗଡ଼ାକୁ ନେଇ ଶୁକ୍ରାବର ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ପାୟଲ ତାଙ୍କୁ ତା’ପରଦିନ ଥାନାକୁ ଆସିବାକୁ କହିଥିଲେ। ପାୟଲଙ୍କ କଥା ମାନି ଲକ୍ଷ୍ମୀ ଘରକୁ ଚାଲିଯାଇଥିଲେ। ଶନିବାର ଥାନାକୁ ଆସି ନ୍ୟାୟ ପାଇଁ ଭିକ୍ଷା ମାଗିଥିଲେ। କିନ୍ତୁ ପୀଡି଼ତାଙ୍କୁ ପାୟଲ ନାନା ପ୍ରକାର ଅଶୋଭନୀୟ ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବାରୁ ପାୟଲ ଉତ୍କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଲକ୍ଷ୍ମୀ ଡିସିପି ପ୍ରତୀକ ସିଂଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ। ଏହାସହ ସେ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଯେଉଁଥିପାଇଁ ସମ୍ପୃକ୍ତ ମହିଳା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।