ମାଲକାନଗିରି, ୧୩/୯ : ପେଶା ଆଇନ ଲାଗୁ, ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଓ ଜଙ୍ଗଲ ଜମି ପଟ୍ଟା ଦେବା ସହ ଜଳ ଜମି ଜଙ୍ଗଲ ବଞ୍ଚିବାର ଅଧିକାର ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷମାନେ ଗଣ ବିକ୍ଷୋଭ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତଥା ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା ପକ୍ଷରୁ ସ୍ଥାନୀୟ ବସ ଷ୍ଟାଣ୍ଡଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ।
ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠି ଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଏବଂ ସାବ୍ୟସ୍ତ କରିବା ଅନୁସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରୋତ୍ସାହନ ପାଇଁ ଆବଶ୍ୟକ ଅଟେ । ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ଓ ବ୍ୟକ୍ତିଗତ ଅଧିକାର ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରନ୍ତୁ, ନିଶ୍ଚିତ କରନ୍ତୁ ଯେ ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ଦାବି ଗୁଡିକ ବିଳମ୍ବ ନ କରି ତୁରନ୍ତ ସମାଧାନ କରାଯାଉ । ଅନୁସୂଚିତ ଅଞ୍ଚଳରେ ସ୍ବୟଂ ଶାସନ ତଥା ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେଶା ଆଇନ, ୧୯୯୬ ପ୍ରଣୟନ କରାଯାଇଛି । ଓଡିଶା ସରକାର ଦ୍ବାରା ଯେଉଁ ଡ୍ରାଫ୍ଟ ନିୟମ କରାଯାଇଛି ତାହା ପେଶା ଆଇନ ୧୯୯୬ର ମୂଳ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଏଣୁ ଡ୍ରାଫ୍ଟ ନିୟମକୁ ବିରୋଧ କରାଯାଉଛି ।
ପେଶା ଆଇନର ମୂଳ ଭାବନାକୁ ଗୁରୁତ୍ବ ଦିଆଯାଇ ଋଢ଼ିବାଦୀ ଗ୍ରାମସଭାର ନିଷ୍ପତ୍ତିକୁ ସର୍ବପରି ମନା ଯାଇଛି । ତେଣୁ ଏହି ମୂଳ ଭାବନାକୁ ଧ୍ୟାନରେ ରଖାଯାଇ ନୂଆ ନିୟମ ପ୍ରସ୍ତୁତକୁ ତୁରନ୍ତ ଅନୁସୂଚିତ ଅଞ୍ଚଳରେ ଲାଗୁ କରାଯାଉ । ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ଦ୍ବାରା ମାଲକାନଗିରିରେ ଆଦିବାସୀ ପରିବାର ବିସ୍ଥାପିତ ହେଉଛନ୍ତି । ଦୁର୍ଭାଗ୍ୟବଶତଃ ବିକଳ୍ପ ଜମି ଏବଂ ଜୀବିକା ନିର୍ବାହ ପାଇଁ ସେମାନଙ୍କ ଯଥାର୍ଥ ଦାବି ନିଶ୍ଚିତ କରିବାକୁ ପର୍ଯ୍ୟାପ୍ତ ପୁନର୍ବାଶ ଏବଂ ପୁନଃ ଥଇଥାନ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ଏବଂ ଆଦିବାସୀଙ୍କ ଅଧିକାରକୁ ସୁରକ୍ଷିତ ରଖାଯାଉ।
ପୋଲାଭରମ ଡ୍ୟାମ ନିର୍ମାଣ ମାଲକାନଗିରିର ପଡିଆ ଏବଂ ମୋଟୁ ବ୍ଲକରେ ରହୁଥିବା ଆଦିବାସୀମାନଙ୍କ ପାଇଁ ଏକ ବଡ ବିପଦ। ପୋଲାଭରମ ଡ୍ୟାମର ଉଚ୍ଚତା ବଢେଇବା କାର୍ଯ୍ୟକୁ ଘୋର ବିରୋଧ କରୁଛୁ । ଯଦି ପୋଲାଭରମ ଡ୍ୟାମର ଉଚ୍ଚତା ବଢ଼ାଯାଏ ତେବେ ପଡିଆ, ମୋଟୁ ଓ ମାଥିଲିର କିଛି ଅଞ୍ଚଳ ଜଳମଗ୍ନ ହେବ। ଯାହାଦ୍ବାରା ଆଦିବାସୀ ମାନେ ବିସ୍ଥାପିତ ଓ ଜୀବିକା କ୍ଷୁର୍ଣ୍ଣ ହେବେ । ତେଣୁ ଏହାକୁ ଆମେ ଘୋର ବିରୋଧ କରାଯାଇ ଜମି, ଜଙ୍ଗଲ ଓ ଜନବସତି ଜଳମଗ୍ନ ହେବା ପାଇଁ ଦିଆଯିବ ନାହିଁ । ଆଦିବାସୀମାନଙ୍କର ଜୀବିକା, ସଂସ୍କୃତି, ପରମ୍ପରା ବିପଦରେ ପଡିଛି । ଏଣୁ ପ୍ରଶାସନ ଓ ସରକାର ଉପରୋକ୍ତ ତିନୋଟି ଆଇନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉ ଏବଂ ଏହି ପ୍ରାବଧାନକୁ ଅବମାନନା କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବିପତ୍ରରେ ଉଲେଖ ରହିଛି।
ଏହି ବିକ୍ଷୋଭର ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି ନେତୃତ୍ୱ ନେଇଥିଲେ। ଏଥିରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଦେବେନ୍ଦ୍ର ଖିଲ, ଶରତଚନ୍ଦ୍ର ବୁରୁଦା, ଘେନୁମୁଦୁଲି, ଈଶ୍ୱର ମାଡକାମି, ବୁଦ୍ରା କର୍ତ୍ତମୀ, ମାଲା ମାଢି, ଡ କାମରାଜ କବାସୀ, ରବିନ୍ଦ୍ର ମାଢି, ଆଡ଼ମା ରାବା, ଲଷ୍ମୀ ପ୍ରିୟା ନାୟକ, ଜୟନ୍ତୀ ବୁରୁଦା, ଇର୍ମା ପଡିଆମୀ ଓ ୧୪ଟି ଆଦିବାସୀ ସମାଜର ସଭାପତି, ସମ୍ପାଦକ କର୍ମକର୍ତ୍ତା ପ୍ରମୁଖ ଆଦିବାସୀ ନେତାମାନେ ଉପସ୍ଥିତ ହୋଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନେତୃତ୍ୱରେ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ସମାବେଶରେ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଓ ପୁରୁଷ ନିଜ ନିଜ ପାରମ୍ପରିକ ପୋଷାକରେ ଶୋଭାଯାତ୍ରା କରିଥିଲେ।