ବାଣପୁର, ୭।୯ : କିଛି ଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବାଲୁଗାଁ ଡ଼ାମିଆ ବରବରା ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବାଣପୁରରେ ଲୋକେ ଭୟଭୀତ ହୋଇପଡିଛନ୍ତି। କିନ୍ତୁ ବନ ବିଭାଗ ଏହା ଏକ ଗୁଜବ ବୋଲି କହିଛି।
ଗତ ୨ତାରିଖରେ ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ବାଘ ଗୋଟିଏ ଛେଳିକୁ ମାରି ଖାଇଦେବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ ବରବରା ଜଙ୍ଗଲ ମଧ୍ୟରେ ଥିବା ଦୁଇଟି ପଂଚାୟତର ଜନସାଧାରଣ ଭୟଭୀତ ହୋଇ ପଡିଥିଲେ। ଭାଇରାଲ ଖବର ଓ ଭିଡିଓକୁ ସରପଞ୍ଚ ଉମାକାନ୍ତ ସାହୁଙ୍କୁ ପଚାରିବାରୁ ସେ ଏ ଘଟଣା ସମ୍ପୂର୍ଣ୍ଣ ମନଗଢ଼ା ଓ ଗୁଜବ ବୋଲି କହିଛନ୍ତି। ଭିଡ଼ିଓର ଯେଉଁ ବ୍ରିଜ ଉପରେ ବାଘଟି ଚଳାଚଳ କରୁଛି ଉକ୍ତ ସ୍ଥାନ ନୀଳାଦ୍ରି ଜଙ୍ଗଲରେ ନଥିବା କହିଛନ୍ତି। ଗତ ୧୨ବର୍ଷ ଧରି ନୀଳାଦ୍ରି କିମ୍ବା ବରବରା ଜଙ୍ଗଲରେ କୌଣସି ପ୍ରକାରର ବାଘ ନଥିବା ବନ ବିଭାଗ ସ୍ପଷ୍ଟ କରିଛି । ଏପରି ମିଥ୍ୟା ଖବର କରୁଥିବା ବ୍ୟକ୍ତି ବିଶେଷ ନିଜ ସ୍ୱାର୍ଥ କିମ୍ବା ମୂଲ୍ୟବାନ କାଠ କାଟି ଲୁଟିବା ଉଦ୍ଦେଶ୍ୟରେ ପ୍ରସାର କରୁଥିବା ବନବିଭାଗ ଅଧିକାରୀ ପ୍ରତାପ କୁମାର ମହାନ୍ତି କହିଛନ୍ତି । ତେବେ ଏହି ମିଥ୍ୟା ଘଟଣାକୁ ବିଶ୍ୱାସ ନକରି ଆତଙ୍କିତ ନହେବା ସହିତ ସର୍ବସାଧାରଣ ଏହି ମିଛ ଭାଇରାଲ ଠାରୁ ଦୁରେଇ ରୁହନ୍ତୁ ବୋଲି ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।