ଭୁବନେଶ୍ବର, ୨୨/୦୮ : ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ଭୁବନେଶ୍ବର ଏବଂ ଢେଙ୍କାନାଳରେ ରେଞ୍ଜରଙ୍କ ୮ଟି ପ୍ଲଟ ଠାବ । ଭୁବନେଶ୍ବରରେ ଗୋଟିଏ ବିଲ୍ଡିଂ ଏବଂ ମୂଲ୍ୟବାନ ଫ୍ଲାଟ୍, ହାଇଦ୍ରାବାଦରେ ୨ଟି ଫ୍ଲାଟ୍, ଆଠଗଡରେ ୫ ଏକର ବିଶିଷ୍ଟ ଫାର୍ମ ହାଉସ୍ ଠାବ ହୋଇଛି। ଏତଦ୍ ବ୍ୟତୀତ ବିଭୂଦାନନ୍ଦଙ୍କ ଘରୁ ନଗଦ ୪ ଲକ୍ଷ ୧୩ ହଜାର ଟଙ୍କା, ୩୦୦ ଗ୍ରାମ ସୁନା, ଗୋଟିଏ ହୀରା ହାର ଏବଂ କାନଫୁଲ, ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୨ଟି ୪ ଚକିଆ ଏବଂ ୬ଟି ଦୁଇ ଚକିଆ ଯାନ ଠାବ ହୋଇଛି।
ସୂଚନାନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳର ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ବିଜିଲାନ୍ସ ରେଡ୍ କରିଥିଲା। କଟକ, ଭୁବନେଶ୍ୱର ଏବଂ ଢେଙ୍କାନାଳର ସମୁଦାୟ ୮ଟି ସ୍ଥାନରେ ଚଢାଉ ହୋଇଥିଲା। ଚଢାଉ ସମୟରେ ବିଭୂଦାନନ୍ଦଙ୍କ ଟଏଲେଟ୍ ଫ୍ଲସ୍ ଟାଙ୍କି ଏବଂ ବିଭିନ୍ନ ସ୍ଥାନରୁ ବିଡ଼ା ବିଡ଼ା ଟଙ୍କା ଜବତ କରାଯାଇଥିଲା । ଚଢାଉ ବେଳେ ବିଭୂଦାନନ୍ଦ ମିଶ୍ର ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ଅନେକ ସମ୍ପତ୍ତି ରହିଥିବା ସୂଚନା ମିଳିଛି । ରେଞ୍ଜରଙ୍କର ଢେଙ୍କାନାଳ ରତ୍ନବଜାରସ୍ଥିତ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ରସୁଲଗଡ଼ ସ୍ଥିତ ଗୋଟିଏ ଫ୍ଲାଟ୍, ହାଇଦ୍ରାବାଦର ନାନକ୍ରାମଗୁଡାରେ ୨ଟି ଫ୍ଲାଟ୍, କଟକ ଆଠଗଡ଼ ସ୍ଥିତ ଏକ ୫ ଏକର ବିଶିଷ୍ଟ ବହୁମୁଖୀ ଫାର୍ମ ହାଉସ, କୁକୁଡ଼ା ଫାର୍ମ, କୃଷି ନର୍ସରୀ ସହ ଏକ ପାର୍କ, ଭୁବନେଶ୍ଵର ଏବଂ ଢେଙ୍କାନାଳରେ ୮ଟି ପ୍ଲଟ ଠାବ ହୋଇଛି ।