ବଅଁରପାଳ,୧୫/୦୯: ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନାଲ୍କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା । ବିଶ୍ୱ ବିନ୍ଧାଣି ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ଆରାଧନା ପାଇଁ ଆଲୁମିନିୟମ୍ ନଗରୀ ନାଲ୍କୋ ନୂଆ ବୋହୂ ପରି ସଜେଇ ହୋଇଛି । ୧୯ଟି ପୂଜା ମଣ୍ଡପରେ ବିଶ୍ୱ ବିନ୍ଧାଣି ବିରାଜିବେ । ରଙ୍ଗୀନ୍ ଆଲୋକ ଓ ଆଖିଝଲସା ତୋରଣ ଓ ମେଢ଼ ବେଶ୍ ଆକଷର୍ଣୀୟ ହୋଇଛି ।
ମେଢ଼ ଓ ତୋରଣକୁ ଆକର୍ଷଣୀୟ କରି ଲୋକଙ୍କ ମନ ଜିଣିବାକୁ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ କାରିଗର ଜୋରଦାର ପ୍ରସ୍ତୁତି କରିଛନ୍ତି । କାଷ୍ଟହାଉସ୍-ଏ, ପଟ୍ଲାଇନ୍, କାଷ୍ଟହାଉସ୍-ବି, ପଟ୍ଲାଇନ୍ ବିଦ୍ୟୁତ ବିଭାଗ, ସିପିପି ବିଦ୍ୟୁତ ବିଭାଗ, ରଡ଼ିଂସପ୍-୧, ସିପିପି ଅପରେସନ, ସିପିପି ସିଏଚ୍ପି, ଜିଏପି ମ୍ୟାଟେରିଆଲ ଷ୍ଟୋର, ବେକ୍ଓଭନ, କାର୍ବନ ଏରିଆ, ରୋଲିଂ ପ୍ଲାଣ୍ଟ, କାର୍ବନ ଏରିଆ ବିଦ୍ୟୁତ ବିଭାଗ, ରଡ଼ିଂସପ୍-୨, ସଭିଲ ପମ୍ପହାଉସ୍, ୨୨୦ କେଭି ବିଦ୍ୟୁତ୍ ବିଭାଗ ଏବଂ ନାଲକୋ ଠିକାଦାର ସଂଘ ଆଦି ପକ୍ଷରୁ ମେଢ଼ ଏବଂ ପାଶ୍ୱର୍ମେଢ଼ ନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।
ପୂଜା କମିଟିଗୁଡ଼ିକ ବିଭିନ୍ନ ବିଷୟ ବସ୍ତୁକୁ ନେଇ ତୋରଣ ପ୍ରସ୍ତୁତ କରିଛନ୍ତି। ଅବିକଳ ଶ୍ରୀ ମନ୍ଦିର ସଦୃଶ ତୋରଣ ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଏହା ଶ୍ରଦ୍ଧାଳୁଙ୍କ ନଜର ଭିଡ଼ିବ । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱକର୍ମା ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।