ନୀଳଗିରି, ୭/୧୧ : ବାବୁ ମୁଁ ଜଣେ ଅସହାୟ ବିଧବା ମହିଳା। ପାଖରେ ଘର କରିବାକୁ ସମ୍ବଳ ନାହିଁ। ସରକାରୀ ଯୋଜନାରେ ଘରଟିଏ ପାଇଥିଲି। ତେଣୁ ସୁକୁରା ଆସି ଘର ତିଆରି କଲା। କିଏ ଜାଣିଥିଲା ମୋ ବିଶ୍ୱାସରେ ବିଷ ମିଶାଇ ଏମତି ମୋତେ ହଇରାଣ କରିବ। ସିମେଣ୍ଟ ଦଉଛି କି ନାହିଁ ମୁଁ ଜାଣିନି। ଘରଟି ଆଜି ତିଆରି କରୁ କରୁ ଭୁଶୁଡି ପଡିଥିଲା। ଅଶ୍ରୁଳ ଛଳ ଛଳ ନୟନରେ ବିଧବା ବୁଢୀଟି ନିଜର ଦୁଃଖ ବଖାଣିଥିଲେ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ସଜନାଗଡ଼ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ୨୦୨୧/୨୨ ମସିହାରେ ସଜନାଗଡ଼ ପଞ୍ଚାୟତ ୧ନଂ ୱାର୍ଡ ପାଣବନ୍ଧ ଗ୍ରାମର ସାକର ଟୁଡୁ ନାମକ ଜଣେ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ମହିଳା ଜଣେ ଗରିବ ହୋଇଥିବା ବେଳେ ଅଳ୍ପଦିନ ମଧ୍ୟରେ ଘର ନିର୍ମାଣ କରିଦେବାକୁ ସେହି ଅଞ୍ଚଳର ସୁକୁରା ନାମକ ଜଣେ ବ୍ୟକ୍ତି କହିଥିଲା। ଏହା ସହ ସୁନ୍ଦର ଘର କରିଦେବାର ଲୋଭ ଦେଖାଇ ଆବାସ ଘରଟିକୁ ହାତେଇ ନେଇଥିଲା। ସରକାରଙ୍କ ତରଫରୁ ପ୍ରାଥମିକ ଭାବେ ୪୦ହଜାର ଟଙ୍କା ହିତାଧିକାରୀ ସାକର ଟୁଡୁଙ୍କ ଖାତାକୁ ଆସିଥିବା ବେଳେ ସମ୍ପୂର୍ଣ୍ଣ ଅର୍ଥକୁ ଠିକାଦାର ଜଣକ ନେଇଯାଇଥିଲେ।
କାମ ଆରମ୍ଭ ହେଲା ସତ ହେଲେ ଠିକାଦାର ଟଙ୍କା ହଡ଼ପ କରିବାକୁ ଅତି ନିମ୍ନମାନର କାମ କରିଥିଲା। ଏହା ହିତାଧିକାରୀ ଜାଣି ନଥିଲେ। ଘରଟି ପ୍ରାୟ ୬ଫୁଟ ଉଠି ଯାଇଥିଲା। ଆଜି କାମ ଚାଲୁଥିବା ବେଳେ ହଠାତ୍ ଇଟା କାନ୍ଥ ଭୁଷୁଡି ପଡିଥିଲା। ଖାଇସାରି ଉକ୍ତ ଘରେ ଶୋଇଥିବା ସାକରଙ୍କ ଦୁଇ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୀତାଞ୍ଜଳି ଆଚାର୍ଯ୍ୟ ଏସମ୍ପର୍କରେ ଜାଣିନଥିବା କହିଛନ୍ତି।ବିଧବା ମହିଳା ଜଣକ ଏବେ ମୁଣ୍ଡରେ ହାତ ଦେଇଥିବା ବେଳେ ସଜନାଗଡ଼ ଅଞ୍ଚଳର ଠିକାଦାର ସୁକୁରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।