ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି -20 ଶିଖର ସମ୍ମିଳନୀ ଅତ୍ୟନ୍ତ ସଫଳ ହୋଇଥିଲା । ଜି -20 ର ସଫଳତାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ଏହି ସମ୍ମିଳନୀ ପରଠାରୁ ହ୍ବାଇଟ୍ ହାଉସ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବାରେ ଲାଗିଛି । ଜି -20 ର ଅଧ୍ୟକ୍ଷତା ପାଇଁ ପୁଣିଥରେ ଆମେରିକା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛି । ଏହା ସହ କହିଛି ଯେ, ଦିଲ୍ଲୀରେ ହୋଇଥିବା ନେତାଙ୍କ ଶିଖର ସମ୍ମିଳନୀରୁ ରାଷ୍ଟ୍ରପତି ଜୋ ବାଇଡେନ ଅତ୍ୟନ୍ତ ସକରାତ୍ମକ ଏବଂ ଆଶାବାଦୀ ଅଛନ୍ତି ।
ଆମେରିକାର ଜାତୀୟ ସୁରକ୍ଷା ପରିଷଦର ରଣିନୀତିକ ଯୋଗାଯୋଗ ସଂଯୋଜକ ଜନ୍ କିର୍ବି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଜି -20 ରୁ ଆସିବା ପରଠାରୁ ବାଇଡେନ ଅତ୍ୟନ୍ତ ସକରାତ୍ମକ ଏବଂ ଆଶାବାଦୀ ଅଛନ୍ତି । ସେ କହିଥିଲେ ଯେ ମୋର କହିବାର ଅର୍ଥ ହେଉଛି ଯେ, ଜି -20 ରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଫଳ ଆଲୋଚନା ହୋଇଛି । ତେଣୁ ଜି -20 ର ସଫଳ ଅଧ୍ୟକ୍ଷତା ପାଇଁ ଆମେ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତକୁ କୃତଜ୍ଞ । ସେପ୍ଟେମ୍ବର ୯ ଏବଂ ୧୦ ରେ ଦିଲ୍ଲୀରେ ଆୟୋଜିତ ଶିଖର ସମ୍ମିଳନୀ ବିଷୟରେ କିର୍ବି କହିଛନ୍ତି ଯେ ଏହି ଦୁଇ ଦିନ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଥିଲା ।
ସୂଚନାଥାଉକି, ମିଳିତ ଜାତିସଂଘ ସାଧାରଣ ସଭାର ୭୮ ତମ ଉଚ୍ଚ ସ୍ତରୀୟ ଅଧିବେଶନ ତଥା ଅନ୍ୟାନ୍ୟ ବୈଦେଶିକ ନୀତି ପ୍ରସଙ୍ଗରେ ଆମେରିକାର ପ୍ରାଥମିକତା ଉପରେ ଜନ୍ କିର୍ବି ସୋମବାର ନ୍ୟୁୟର୍କ ଫରେନ୍ ପ୍ରେସ ସେଣ୍ଟରରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।