ଭୁବନେଶ୍ୱର,୧୩/୦୮: ସ୍ୱାଧୀନତା ଦିବସରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସଂପୃକ୍ତ ଜିଲ୍ଲାପାଳ ଓ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷାର ପ୍ରଭାବ ରହିବ । ଏସବୁ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁରରେ ବର୍ଷା ହେବ । ଏହି ସମୟରେ ସର୍ତକ ରହିବାକୁ ଏସ୍ଆର୍ସିଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳର ତଳିଆ ଅଞ୍ଚଳରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ଅଞ୍ଚଳରେ ମହାନଗର ନିଗମର କମିଶନର ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ଧ୍ୟାନ ଦେବେ ।
ସୋମବାର କେନ୍ଦ୍ରାପଡ଼ାରେ ସର୍ବାଧିକ ୫୫ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀରେ ୩୧, ରାୟଗଡ଼ାରେ ୧୯, ଭବାନୀପାଟଣାରେ ୧୩.୮ ମିମି ବର୍ଷା ରେକର୍ଡ କରାଯାଇଛି ।