ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି (ଗୁରୁବାର) ବିଧାୟକଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ବିଧାୟକଙ୍କ ଦରମା ମାସକୁ ୪୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ଏହି ସମୟରେ ମମତା ବାନାର୍ଜୀ ବିଧାନସଭାରେ କହିଛନ୍ତି ଯେ ମୋର ଦରମାରେ କୌଣସି ସଂଶୋଧନ କରାଯାଇ ନାହିଁ । କାରଣ ମୁଁ ଦୀର୍ଘ ଦିନ ଧରି କୌଣସି ପ୍ରକାର ଦରମା ନେଉ ନାହିଁ । ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ ବିଧାନସଭାର ବିଧାୟକଙ୍କ ଦରମା ବହୁତ କମ୍ । ତେଣୁ ତାଙ୍କ ଦରମା ମାସକୁ ୪୦ ହଜାର ଟଙ୍କା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଏହା ବ୍ୟତୀତ ମମତା ବାନାର୍ଜୀ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀଙ୍କ ଦରମା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ରାଜ୍ୟ ମନ୍ତ୍ରୀଙ୍କ ମାସିକ ଦରମା ୧୦୯୦୦ରୁ ୫୦୯୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହିତ କ୍ୟାବିନେଟ ମନ୍ତ୍ରୀଙ୍କ କ୍ଷେତ୍ରରେ ଏହି ପରିମାଣ ୧୧ ହଜାରରୁ ୫୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମାସିକ ଦରମା ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଏବଂ ବିଧାୟକ ମାନେ ପାଇବାକୁ ଥିବା ଅତିରିକ୍ତ ଭତ୍ତା ସମାନ ରହିବ ।
ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଏହାର ଅର୍ଥ ହେଉଛି ଯେ ବିଧାୟକ ମାନେ ଗ୍ରହଣ କରୁଥିବା ଦରମା ଏବଂ ଭତ୍ତା ସମେତ ପ୍ରକୃତ ମାସିକ ବେତନ ବର୍ତ୍ତମାନ ୮୧ ହଜାରରୁ ୧.୨୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ସେହିଭଳି ବର୍ତ୍ତମାନ ଠାରୁ ମନ୍ତ୍ରୀଙ୍କ ପ୍ରକୃତ ମାସିକ ଦରମା ୧.୧୦ ଲକ୍ଷରୁ ପ୍ରାୟ ୧.୫୦ ଲକ୍ଷକୁ ବୃଦ୍ଧି ପାଇବ ।
ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ବର୍ଦ୍ଧିତ ଦରମା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ତୁଳନାରେ ପଶ୍ଚିମବଙ୍ଗରେ ବିଧାୟକଙ୍କ ଦରମା ବହୁତ କମ୍ । ଏହାକୁ ଦୃଷ୍ଟିରେ ରଖି ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମନ୍ତ୍ରୀ ତଥା ବିଧାୟକଙ୍କ ଦରମା ବୃଦ୍ଧି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଆହୁରି ଅସୁବିଧାରେ ପକାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଇଛନ୍ତି ।