ଖଲ୍ଲିକୋଟ, ୧୯/୩ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଏକ ୪୦ଫୁଟ ଗଭୀର କୂଅ ସଫା କରୁଥିବାବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପ୍ରଶାନ୍ତ ବିଶ୍ୱାଳ (୪୦) ଓ ବିରଞ୍ଚି ବିଶ୍ୱାଳ (୨୫) ନାମକ ଦୁଇ ଜଣ ଶ୍ରମିକ କୂଅ ଭିତରେ ପଡ଼ିଯାଇଥିଲେ।
ପ୍ରଶାନ୍ତ ବିଶ୍ୱାଳ କୂଅ ଭିତରେ ଥିବା ୧୦ ଫୁଟ ପଙ୍କ ଭିତରେ ଫସି ଯାଇଥିଲେ। ତାଙ୍କର ଅଣ୍ଟା ହାଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଉପରେ ପଥର ପଡି ମୁଣ୍ଡ ଫାଟି ସଜ୍ଞାହୀନ ଅବସ୍ଥା ରେ ପଡ଼ିଥିଲେ। ଅନ୍ୟ ଜଣେ ଶ୍ରମିକ ବିରଞ୍ଚି ବିଶ୍ୱାଳ ସାମାନ୍ୟ ଆହତ ହୋଇଥିଲେ। ଖବରପାଇ ଖଲ୍ଲିକୋଟ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀ ଲିଟନ ଜେନା, ନିଲମ ସାହୁ, ରଶ୍ମି କାନ୍ତ ବେହେରା, ମୁଖ୍ୟ ଆଗ୍ନିକ ସୁକାନ୍ତ ବେହେରା, ସଞ୍ଜିତ ସିଂ, ସନ୍ତୋଷ ଲେଙ୍କା ପ୍ରମୁଖ ପ୍ରାୟ ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ଉଭୟ ଶ୍ରମିକଙ୍କୁ କୂଅ ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଶାନ୍ତ ବିଶ୍ୱାଳଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।