ବୋଲଗଡ଼, ୧୪/୧୧ : ସ୍ଵାମୀର ମୃତ୍ୟୁ ପରେ ଜୀବନ ହାରିଲା ସ୍ତ୍ରୀ। ବାଙ୍କୋଇ ନିକଟ ବେଣାଗାଡ଼ିଆରେ ଏଭଳି ଘଟଣା ଘଟିଛି। ଦିପାବଳୀ ଦିନ ସନ୍ଧ୍ୟାରେ ଅଜଣା ଗାଡି ଧକ୍କାରେ ସ୍ବାମୀ ଗୋକୁଳ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ଅସହାୟ ହୋଇ ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତ ମହିଳା ଆନନ୍ଦିତା ସୁବୁଦ୍ଧି।
ସୂଚନାନୁଯାୟୀ, ରାଜସୁନାଖଳା ଗଣେଶ ବଜାରର ଭବାନୀ ଇଲୋକ୍ଟ୍ରୋନିକ୍ସର ମାଲିକ ଗୋକୁଳ ଚନ୍ଦ୍ର ସାହୁ ଦୀପାବଳି ଦିନ ସନ୍ଧ୍ୟାରେ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଥିବା ଘରକୁ ବାଇକ ଯୋଗେ ଫେରୁଥିଲେ। ଏତିକି ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ଆନନ୍ଦିତା ସ୍ଵାମୀଙ୍କ ଅକସ୍ମାତ ମୃତ୍ୟୁକୁ ସହ୍ୟ କରିପାରି ନଥିଲେ। ସେ ଅସହାୟ ହୋଇ ଗତକାଲି ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାଙ୍କୋଇ ଫାଣ୍ଡି ଅଧିକାରୀ ସଂଗ୍ରାମ ପାଇକରାୟ ଶବ ବ୍ୟବଚ୍ଛେଦ ନିମିତ୍ତ ଖୋର୍ଦ୍ଧାକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। ମୃତ ଦାମ୍ପତିଙ୍କର ଦୁଇଟି କନ୍ୟାସନ୍ତାନ ଅଛନ୍ତି।
ଗୋକୁଳ ଚନ୍ଦ୍ର ସାହୁ ଦୀର୍ଘଦିନ ଧରି ରାଜସୁନାଖଳା ଗଣେଶ ବଜାରରେ ଏକ ଇଲୋକ୍ଟ୍ରୋନିକ୍ସ ଦୋକାନ କରିଥିଲେ l ତାଙ୍କର ଏଭଳି ଅକାଳ ବିୟୋଗରେ ଶୋକ ପ୍ରକାଶ କରି ବଜାର କମିଟି ପକ୍ଷରୁ ବନ୍ଦ ଡାକରା ଦିଆହୋଇ ବଜାର ଆଜି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି l ରାଜସୁନାଖଳା ଯୁବ ସମାଜସେବୀ ଜଗନ କୁମାର ନାୟକ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି ହେଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l ସ୍ୱାମୀଙ୍କ ମୃତ୍ୟୁ ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା ବୋଲଗଡ ଅଞ୍ଚଳରେ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଛି l