ନୂଆଦିଲ୍ଲୀ,୧୭/୦୯: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିକୁ ୧୦୦ ଦିନ ପୂରିଛି । କ୍ଷମତାକୁ ଆସିବା ପରେ ମୋଦି ପ୍ରଥମ ୧୦୦ ଦିନ ଭିତରେ କେଉଁ କ୍ଷେତ୍ର ପ୍ରତି ବିଶେଷ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରାଯିବ ତାର ଟାର୍ଗେଟ ଧାର୍ଯ୍ୟ କରିଥିଲେ । ସେହି ଆଧାରରେ କାର୍ଯ୍ୟ କରିବା ଲାଗି ମନ୍ତ୍ରୀ ଓ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତୃତୀୟ ପାଳିକୁ ୧୦୦ ଦିନ ପୂରିଥିଲା ବେଳେ ଟାର୍ଗେଟର ୧୦୦ ପ୍ରତିଶତ ପୂରଣ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ମୋଦି ସରକାରଙ୍କ ପ୍ରଥମ ଫୋକସ ଥିଲା ଭିତ୍ତିଭୂମି ବିକାଶ । ସେଥିପାଇଁ ୧୦୦ ଦିନ ଭିତରେ ସଡ଼କ, ରେଳପଥ, ବନ୍ଦର ଓ ବିମାନ ଭିତ୍ତିଭୂମି ପାଇଁ ୩ ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରଯାଇଛି । ସରକାର ଆଶା କରିଛନ୍ତି କି ପୁଞ୍ଜି ବ୍ୟୟ ପରିମାଣ ୧୧.୧୧ ଲକ୍ଷ କୋଟିକୁ ବୃଦ୍ଧି କରାଯିବା ଫଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋବ । କୃଷିକ୍ଷେତ୍ରକୁ ମଧ୍ୟ ମୋଦି ସରକାର ପ୍ରାଥମିକତା ଦେଇଛନ୍ତି । ଚାଷୀଙ୍କ ପାଇଁ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ଜାରି କରାଯାଇଛି । ଏପର୍ଯ୍ୟନ୍ତ ୧୨ କୋଟି ୩୩ ଲକ୍ଷ ଚାଷୀଙ୍କୁ ୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି । ୨୦୨୪-୨୫ ବର୍ଷ ପାଇଁ ଖରିଫ ଫସଲର ଏମ୍ଏସ୍ପି ବୃଦ୍ଧି କରାଯାଇଛି । ଏହାଫଳରେ ୧୨ କୋଟି ଚାଷୀଙ୍କୁ ୨ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିପାରିବ । ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ପାଇଁ ୧୨,୧୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଡିଜିଟାଲ କୃଷି ମିଶନ ସମେତ ୭ଟି ବଡ ଯୋଜନା ପାଇଁ ୧୪,୨୦୦ କୋଟି ଟଙ୍କାର ବୟବରାଦ କରାଯାଇଛି ।
ପ୍ରଥମ ୧୦୦ ଦିନରେ ଇଜ୍ ଅଫ୍ ଡୁଇଂ ବିଜିନେସ ଓ ଯୁବବର୍ଗଙ୍କ ପାଇଁ ବହୁବିଧ ଯୋଜନା ହାତକୁ ନିଆଯାଇଛି । ଆଞ୍ଜେଲ ଟିକସ ଉଚ୍ଛେଦ କରାଯିବା ସହ କର୍ପୋରେଟ ଟିକସ ହ୍ରାସ କରାଯାଇଛି । ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ ୧ ହଜାର କୋଟିର ଭେଞ୍ଚର କ୍ୟାପିଟାଲର ବରାଦ କରାଯାଇଛି । ଟାୟାର-୨ ଓ ଟାୟାର-୩ ସହରରେ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ଲାଗି ଇନୋଭେସନ ଷ୍ଟାର୍ଟଅପ୍ (ଜେନେସିସ୍) ପ୍ରୋଗ୍ରାମକୁ ଅନୁମୋଦନ କରାଯାଇଛି । ଯୁବବର୍ଗଙ୍କ ଦକ୍ଷତା ବିକାଶ ଓ ସେମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲାଗି ୨ ଲକ୍ଷ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ଏହାଦ୍ୱାରା ଆଗାମୀ ୫ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକଯୁବତୀ ଉପକୃତ ହୋଇପାରିବେ । ଭତ୍ତା ସହ ବିଭିନ୍ନ କମ୍ପାନିରେ ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ ମିଳିବ । ୧ ହଜାର ଶିଳ୍ପ ତାଲିମ ପ୍ରତିଷ୍ଠାନରେ ୨୦ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦିଆଯିବ । ୧୫ ହଜାର ନୂଆ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ମହିଳା ସଶକ୍ତିକରଣ କ୍ଷେତ୍ରରେ ମୋଦି ସରକାର ତାଙ୍କ ତୃତୀୟ ପାଳିର ୧୦୦ ଦିନ ଭିତରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ବର୍ତ୍ତମାନ ୧ କୋଟିରୁ ଅଧିକ ଲକ୍ଷପତି ଦିଦି ବର୍ଷକୁ ୧ ଲକ୍ଷରୁ ଅଧିକ ଟଙ୍କା ଉପାର୍ଜନ କରିପାରୁଛନ୍ତି । ସେହିଭଳି ମୁଦ୍ରା ଋଣ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି । ୬୩ ହଜାର ଆଦିବାସୀ ଗ୍ରାମର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବିକଶିତ ଆଦିବାସୀ ଗ୍ରାମ ଅଭିଯାନ ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ୫ କୋଟି ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ୭୫ ହଜାର ନୂଆ ମେଡିକାଲ ସିଟ୍ ବଢ଼ାଯାଇଛି । ଏହାଫଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଧୁରିବା ସହ ବିଦେଶୀ ମେଡିକାଲ ଶିକ୍ଷା ଉପରେ ନିର୍ଭରତା ହ୍ରାସ ପାଇବ । ଜାତୀୟ ମେଡିକାଲ କମିଶନ ଏକ ଜାତୀୟ ମେଡିକାଲ ରେଜିଷ୍ଟର ପ୍ରସ୍ତୁତ କରୁଛି ଯେଉଁଥିରେ ଦେଶରେ ସବୁ ଡାକ୍ତରଙ୍କୁ ଗୋଟିଏ ପ୍ଲାଟଫର୍ମ ଅଧୀନରେ ରଖାଯାଇପାରିବ । ୭୦ ବର୍ଷରୁ ଅଧିକ ବୟସର ଦେଶର ସବୁ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି ।
ମୋଦି ସରକାର ତାଙ୍କ ତୃତୀୟ ପାଳିରେ ପୂର୍ବୋଦୟ ଯୋଜନା ଆଣିଛନ୍ତି । ଯେଉଁଥିରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ବିକାଶକୁ ଫୋକସରେ ରଖାଯାଇଛି । ସହରାଞ୍ଚଳ ବନ୍ୟା ପରିଚାଳନା ଓ ହିମ ହ୍ରଦ ବନ୍ୟା ମୁକାବିଲା ଯୋଜନା ଲାଗି ୬,୩୫୦ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଲଦାଖରେ ୫ ନୂଆ ଜିଲ୍ଲା ପ୍ରତିଷ୍ଠା ହୋଇଛି । ସୁରକ୍ଷା ଦୃଷ୍ଟିରୁ ଦେଖିଲେ ୩୫ ବର୍ଷ ପରେ ତ୍ରିପୁରାର ବିଭିନ୍ନ ଉଗ୍ରବାଦୀ ସଙ୍ଗଠନ ସହ ଶାନ୍ତି ବୁଝାମଣା ସ୍ୱାକ୍ଷର ହୋଇଛି । ଫଳରେ ୩୨୮ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ସାଇବର ଅପରାଧ ମୁକାବିଲା କରିବା ଲାଗି ସମନ୍ୱୟ ପ୍ଲାଟଫର୍ମ ଖୋଲାଯାଇଛି। ଆଗାମୀ ୫ ବର୍ଷରେ ୫ ହଜାର ସାଇବର କମାଣ୍ଡୋଙ୍କୁ ତାଲିମ୍ ସହ ନିଯୁକ୍ତି ଦିଆଯିବ । ସାଇବର ଅପରାଧ ଅଭିଯୋଗ କରିବା ଲାଗି ଏକ ସାଇବରଦୋସ୍ତ ମୋବାଇଲ ଆପ୍ ମଧ୍ୟ ଆରମ୍ଭ ହୋଇଛି । ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଠକେଇର ମୁକାବିଲା କରିବା ଲାଗି ଏକ ସାଇବର ଫ୍ରଡ ମିଟିଗେସନ ସେଣ୍ଟର ପ୍ରତିଷ୍ଠା କରାଯାଇଛି ।
ମୋଦି ସରକାର ଦେଶର ବିଦେଶୀ ନୀତିକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ ପାଳିର ୧୦୦ ଦିନ ଭିତରେ ଉଭୟ ଯୁଦ୍ଧଗ୍ରସ୍ତ ରୁଷ ଓ ୟୁକ୍ରେନ ଗସ୍ତ କରିଛନ୍ତି । ସେଠାରେ ସେ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ସେହିଭଳି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ୪୧ ବର୍ଷ ପରେ ଅଷ୍ଟ୍ରିଆ ଓ ୪୫ ବର୍ଷ ପରେ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସେ ବ୍ରୁନେଇ ପରିଦର୍ଶନରେ ଯାଇଥିଲେ। ଭଏସ୍ ଅଫ ଗ୍ଲୋବାଲ ସାଉଥ୍ ସମ୍ମିଳନୀରେ ଭାରତ ୧୨୦ରୁ ଅଧିକ ଦେଶକୁ ଏକାଠି କରିପାରିଛି । ଆଇନ ଦୃଷ୍ଟିରୁ ଦେଖିଲେ ମୋଦି ସରକାର ନୂଆ ଅପରାଧ ଆଇନକୁ କାର୍ଯ୍ୟକାରୀ କରିଛନ୍ତି । ଜୁନ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରାଯାଇଛି । ସଂସଦରେ ୱାକଫ ସଂଶୋଧନ ବିଲ୍ ଅଣାଯାଇଛି । ଦେଶରେ ଥିବା ୱାକଫ୍ ସମ୍ପତ୍ତିର ଉପଯୁକ୍ତ ସୁରକ୍ଷା ତଥା ପରିଚାଳନା କରିବା ଏବଂ ତୁଷ୍ଟୀକରଣ ନୀତି ଦୂର କରିବା ଲାଗି ମୋଦି ସରକାର ଏହି ବିଲ୍ ଆଣିଛନ୍ତି ।