ଭୁବନେଶ୍ୱର,୦୩/୦୬: ୧୯୮୬ ମସିହା କଥା । ଘର ଛାଡି ଭୁବନେଶ୍ୱର ଆସିଲି । ବଡ଼ ଭାଇଙ୍କ ଘର ୟୁନିଟ୍-୬ ବନଦୁର୍ଗା ମନ୍ଦିର ପାଖରେ ଗୋଟିଏ ସାଇକେଲ ଦୋକାନ ଥାଏ । ସେଇଠି କାମ କରିବା ଆରମ୍ଭ କଲି । ଆଜି ବୟସ ମୋତେ ୬୦ବର୍ଷ ହେବ । ପିଲା ଦିନରୁ ଏବେ ଯାଏ ଏଇଠି କାମ କରି ପରିବାର ଚଳାଉଛି । ଆଗରୁ ସାଇକେଲ ମରାମତି କରି ଏତେ ରୋଜଗାର ହେଉଥିଲା ନକହିବା ଭଲ । ହେଲେ ଏବେ ସାଇକେଲ ଦୋକାନକୁ ନିର୍ଭର କରି ଘର ଚଳାଇବା ବହୁ କଷ୍ଟ ।
ପିଲା ଦିନେ ଏହି ସାଇକେଲ ଦୋକାନ(ମା ବନଦୁର୍ଗା ରିପେୟାରିଂ ସପ୍)ରେ କାମ ଶିଖୁଥିଲି । ଏବେ ପିଲାଙ୍କୁ କାମ ଶିଖାଉଛି ବୋଲି କହିଥିଲେ ପ୍ରତାପ କୁମାର । ଭଦ୍ରକ ପାଳିଆ ଗାଜିପୁରରେ ପ୍ରତାପଙ୍କ ଘର । ପିଲା ଦିନରୁ ଭୁବନେଶ୍ୱରରେ । ସେ କୁହନ୍ତି, ସେତେବେଳେ ସାଇକେଲର ଆଦର ବହୁତ ଅଧିକ ଥିଲା । ସାଇକେଲ ଚଳାଉଥିବା ଲୋକ ଧନୀ ବୋଲି ଚିହ୍ନା ପଡ଼ୁଥିଲେ । ଗୋଟିଏ ଗୋଟିଏ ଦିନ ୫ହଜାରୁ ଅଧିକ ରୋଜଗାର ହୋଇଯାଉଥିଲା । ଧୀରେ ଧୀରେ ସାଇକେଲର ଆଦର କମିବାକୁ ଲାଗିଲା । ବର୍ତ୍ତମାନ ସ୍ଥିତି ଏମିତି ଯେ କେବଳ ଛୋଟ ପିଲା ଏବଂ ସ୍କୁଲ କଲେଜ ପିଲା ସାଇକେଲ ଚଳାଉଛନ୍ତି । ତାଙ୍କ ସାଇକେଲ ଖରାପ ହେଲେ ରିପେୟାରିଂ ପାଇଁ ଆଣୁଛନ୍ତି ।
୨୦୦୬ ମସିହାରେ ବଡ଼ ଭାଇ ଆରପାରିକୁ ଚାଲିଗଲେ । ଭଉଣୀମାନେ କେହି ବାହା ହୋଇନଥିଲେ । ତାଙ୍କୁ ଭଲ ଜାଗାରେ ବାହାଘର କରାଇବା ଚିନ୍ତା ତା’ସାଙ୍ଗକୁ ମୋ ଭାଇଙ୍କ ପରିବାରର ଦାୟିତ୍ୱ ମୋ ଉପରେ ଥିଲା । ଆଉ ସେହି ସମୟରେ ସାଇକେଲର ଚାହିଦା ଧୀରେ ଧୀରେ କମିବାରେ ଲାଗିଥିଲା । ରୋଜଗାର ବି ଆଗ ଅପେକ୍ଷା ବେଶି ହେଉନଥିଲା । କିନ୍ତୁ ଭଉଣୀମାନଙ୍କ ବାହାଘର ତା’ସାଙ୍ଗକୁ ବଡ ଭାଇଙ୍କ ପିଲାଙ୍କୁ ମଣିଷ କରବା ସବୁ ଏଇ ଦୋକାନରୁ କରିବାକୁ ପଡ଼ିଲା । ଏବେ ମୋ ପରିବାରର ବୋଝ ବି ଏ ଦୋକାନ ଉଠାଉଛି । ସାଇକେଲରୁ ଯାହା ଯେତିକି ରୋଜଗାର ହେଉଛି ପରିବାର ଚଳୁଛି । ଏବେ ଦିନକୁ ୫୦୦ ହେଲେ ହେଉଛି ନହେଲେ ନାହିଁ । ଏବେ ଯାହା ସ୍ଥିତି ଏଥିରେ ଘର ଚଳିବା କଷ୍ଟକର ହୋଇପଡ଼ୁଛି ।