ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ତମାଖୁ ବର୍ଜନ ଦିବସ: ନିଶାମୁକ୍ତ ହୋଇପାରୁନି ଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସଚେତନତା କାର୍ଯ୍ୟକ୍ରମରେ ସୀମିତ ପ୍ରଶାସନ

ଭୁବନେଶ୍ୱର,୩୧/୦୫: ତମାଖୁମୁକ୍ତ କ୍ୟାମ୍ପସ କରିବା ପାଇଁ ବିଭିନ୍ନ ପଦକ୍ଷେପ  ନିଆଯାଉଛି । ତମାଖୁ ବର୍ଜନ ଦିବସ ଆସିଲେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ ସ୍କୁଲ, କଲେଜ ପାଖରେ ଖୋଲିଥିବା ସିଗାରେଟ୍‌,  ଗୁଟ୍‌ଖା ଦୋକାନ ବନ୍ଦ ହୋଇପାରୁନି ।  

ନିୟମ ଅଛି, ଶିକ୍ଷାନୁଷ୍ଠାନର ଶହେ ମିଟର  ପରିସୀମା ମଧ୍ୟରେ କୌଣସି ନିଶା ସାମଗ୍ରୀ  ଦୋକାନ ରହିବ ନାହିଁ । ଏହି ଆଇନ୍‌ ୨୦୦୩ରୁ ଲାଗୁ କରାଯାଇଛି । ହେଲେ ଏବେ ବି ଶିକ୍ଷାନୁଷ୍ଠାନ  ନିକଟରେ ମାଳମାଳ ନିଶାଦ୍ରବ୍ୟ ଦୋକାନ  ରହିଛି । ଶିକ୍ଷାର୍ଥୀମାନେ ଏଠାରୁ ନିଶା ସେବନ  କରୁଛନ୍ତି । ନିରବଦ୍ରଷ୍ଟା ପୁଲିସ ପ୍ରଶାସନର ବେଶ୍‌  ଫାଇଦା ନେଇ ଦୋକାନୀମାନେ ଖୁଲମ୍‌ଖୁଲ୍ଲା ବିକ୍ରି  କରୁଛନ୍ତି । ଏପରିକି ଗଞ୍ଜେଇ ଓ ବ୍ରାଉନ୍‌ସୁଗାର  ବି ଏସବୁ ଦୋକାନରେ ମିଳୁଥିବା ଜଣାପଡ଼ିଛି । 

ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ।  ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହା ପାଳନ କରାଯିବ ।  ସଚେତନତା ଶୋଭାଯାତ୍ରା କରାଯିବ । ପ୍ରତିବର୍ଷ ଏପରି ହେଉଛି । ହେଲେ ଶିକ୍ଷାନୁଷ୍ଠାନ ନିକଟରେ ବିକ୍ରି  ହେଉଥିବା ନିଶାଦ୍ରବ୍ୟକୁ ବନ୍ଦ କରାଯାଇପାରୁନାହିଁ ।  ପୁଲିସ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ  ସମସ୍ତେ ଦେଖି ନଦେଖିଲା ପରି ରହୁଛନ୍ତି ।  

ରାଜଧାନୀର ଅନେକ ପ୍ରତିଷ୍ଠିତ ହାଇସ୍କୁଲ୍‌  ଏବଂ ପ୍ରାଥମିକ ବିଦ୍ୟାଳୟ ନିକଟରେ ନିଶାଦ୍ରବ୍ୟ  ବିକ୍ରି କରାଯାଉଛି । କେବଳ ସ୍କୁଲ୍‌ ନୁହେଁ, ବିଜେବି  ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖ ଏବଂ ଏହାର  ଚାରିପଟେ ଛତୁ ଫୁଟିଲା ଭଳି ଦୋକାନ ରହିଛି ।  ମହର୍ଷି କଲେଜ ନିକଟରେ ମଧ୍ୟ ନିଶାଦ୍ରବ୍ୟ  ବିକ୍ରି ହେଉଛି । ସେହିପରି ରମାଦେବୀ ମହିଳା  ବିଶ୍ୱବିଦ୍ୟାଳୟ ନିକଟରେ ୫ରୁ ଅଧିକ ଦୋକାନ  ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ପାଖରେ  ନିଶାଦ୍ରବ୍ୟ ବିକ୍ରି ହେଉଥିବା ବେଳେ କ୍ୟାମ୍ପସ  ଭିତରେ ସିଗାରେଟ୍‌, ଗୁଟ୍‌ଖା ଖୋଲାରେ ବିକ୍ରି  ଚାଲିଛି । ଅନେକ ସମୟରେ ଲୁଚାଇ ମଦ ଓ  ଗଞ୍ଜେଇ ବିକ୍ରି କରାଯାଉଛି । କେବଳ ରାଜଧାନୀ  ନୁହେଁ, ରାଜ୍ୟସାରା ସମାନ ଅବସ୍ଥା । 

ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏସବୁ ଦେଖୁଥିଲେ  ମଧ୍ୟ ଚୁପ୍‌ ରହୁଛନ୍ତି । କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା  ତମାଖୁ ନିୟନ୍ତ୍ରଣ କମିଟିକୁ ଦିଆଯାଇଥିଲେ ମଧ୍ୟ  କମିଟି ନିରବ । ମଝିରେ ମଝିରେ ଲୋକଦେଖାଣିଆ  ଭାବେ ପୁଲିସ ଚଢ଼ଉ କରୁଛି । କେବଳ ଜରିମାନା  ଆଦାୟ କରି ରହିଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟର  ଜଣେ ଅଧିକାରୀ କହିଛନ୍ତି, ଆମ ବିଶ୍ୱବିଦ୍ୟାଳୟରେ  ରାତି ହେଲେ ନିଶାଡ଼ିଙ୍କର ଆଡ୍ଡା ଜମେ । ଦିନରେ ଖୁଲମ୍‌ଖୁଲ୍ଲା ସିଗାରେଟ୍‌ ଓ ଗୁଟ୍‌ଖା ବିକ୍ରି ହୁଏ । ଏସବୁ  ବାରଣ କରିବ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି?  ଯଦି ବାରଣ କରୁ ତେବେ ଦୋକାନୀମାନେ ପିଲାଙ୍କୁ  ଲଗାଇ ଆମକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.