ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ରାଜନଗର ପୁଲିସର ଦବଙ୍ଗଗିରି ! ଏଏସ୍‌ଆଇଙ୍କ ମାଡ଼ରେ ଯୁବକ ଗୁରୁତର

Published By : Prameya | September 30, 2024 10:22 AM

ରାଜନଗର,୩୦/୦୯: ଭୁବନେଶ୍ୱର ଉପକଣ୍ଠ  ଭରତପୁର ଥାନା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର  ବିଷୟ ପାଲଟିଥିବା ବେଳେ ଏବେ ରାଜନଗର  ପୁଲିସର ଦବଙ୍ଗଗିରି ନେଇ ଅଭିଯୋଗ ପଦାକୁ  ଆସିଛି । ଗତକାଲି ରାତିରେ ଥାନା ଏଏସ୍‌ଆଇଙ୍କ  ମାଡ଼ରେ ଜଣେ ଯୁବ ବ୍ୟବସାୟୀ ଗୁରୁତର  ହୋଇଛନ୍ତି । ଆହତ ବ୍ୟବସାୟୀ ହେଲେ  ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ହଂସୁଆଗୁଳା  ଗ୍ରାମର ପ୍ରମୋଦ ବିଶ୍ୱାଳ(୪୩) । ନ୍ୟାୟ ଦାବିରେ  ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଫେରାଦ୍‌  ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ପୀଡ଼ିତଙ୍କ  ମା’ ଉତ୍ତରା ବିଶ୍ୱାଳ ଥାନାରେ ଏତଲା ଦେଇଛନ୍ତି ।  

ଅଭିଯୋଗ ମୁତାବକ, ଜଳିଛକରେ ଏକ  କ୍ୟାବିନ୍‌ ପକାଇ ପ୍ରମୋଦ ତେଜରାତି ଦୋକାନ  କରିଛନ୍ତି । ଶନିବାର ରାତି ପ୍ରାୟ ସାଢ଼େ ୯ଟା  ବେଳେ ରାଜନଗର ପୁଲିସର ଏକ ପାଟ୍ରୋଲିଂ  ଭ୍ୟାନ୍‌ ତାଙ୍କ ଦୋକାନ ନିକଟରେ ଅଟକିଥିଲା ।  ସେହି ସମୟରେ ପ୍ରମୋଦ ଦୋକାନରେ ଧୂପ  ଦେଉଥିଲେ । ଭ୍ୟାନ୍‌ରୁ ରାଜନଗର ଥାନାର  ଏଏସ୍‌ଆଇ ନରେନ୍ଦ୍ର କୁମାର ସିଂ ଓହ୍ଲାଇ  ଅଦ୍ୱୈତ ବିଶ୍ୱାଳଙ୍କ ଦୋକାନ ଏଇଟା କି ବୋଲି ପଚାରିଥିଲେ । ପ୍ରମୋଦ ମନା କରିବାରୁ ତାଙ୍କ  ଘର କେଉଁଠି ବୋଲି ଏଏସ୍‌ଆଇ ପଚାରିଥିଲେ ।  ତାଙ୍କ ଘର ଆଗରେ ବୋଲି ପ୍ରମୋଦ କହିଥିଲେ ।  କିଛି ସମୟ ପରେ ପୁଲିସ ଭ୍ୟାନ୍‌ ପୁଣି ଆସି  ତାଙ୍କ ଦୋକାନ ନିକଟରେ ପହଞ୍ଚିଥିଲା ।  ଏଏସ୍‌ଆଇ ଶ୍ରୀ ସିଂ ପ୍ରମୋଦଙ୍କୁ ଅଶ୍ଳୀଳ ଭାଷାରେ  ଗାଳିଗୁଲଜ କରିବା ସହ ଆମକୁ କାହିଁକି ମିଛ  କହିଲୁ ବୋଲି ତାଙ୍କ ସାର୍ଟ କଲର ଧରି ଦୋକାନ  ଭିତରୁ ଟାଣିଆଣିଥିଲେ। ବାଡ଼ିରେ ଦୁଇ ଜଂଘ,  ଦୁଇ ହାତ ଓ ପିଠିକୁ ନିର୍ଧୁମ ପିଟିଥିଲେ ।  

କେବଳ ସେତିକି ନୁହେଁ, ତାଙ୍କ ଗୁପ୍ତାଙ୍ଗକୁ  ଗୋଇଠା ମାରିଥିଲେ । ପ୍ରମୋଦ ଚିତ୍କାର କରି  ତଳେ ଗଡ଼ୁଥିବା ବେଳେ ପୁଲିସ ଟିମ୍‌ ଭ୍ୟାନ୍‌ରେ ବସି ପଳାଇ ଯାଇଥିଲେ । ପରିବାର ଲୋକେ  ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।  ପ୍ରମୋଦ କେନ୍ଦ୍ରାପଡ଼ାରେ ଚିକିତ୍ସିତ ହେଉଥିବା  ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ  ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।  ଅଭିଯୋଗ ସଂପର୍କରେ ଏଏସ୍‌ଆଇ ଶ୍ରୀ ସିଂଙ୍କୁ  ପଚାରିବାରେ ସେମିତି କିଛି ହୋଇନାହିଁ  ବୋଲି କହି ସେ କଥାକୁ ଏଡ଼ାଇ ଯାଇଛନ୍ତି ।  ଅନ୍ୟପକ୍ଷରେ ଥାନା ଆଇଆଇସି ଅଜୟ କୁମାର ଜେନାଙ୍କୁ ପଚାରିବାରେ ସେ ଘଟଣା  ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି ।  ମାତ୍ର ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳଙ୍କୁ ପଚାରିବାରେ ସେ  କହିଛନ୍ତି ଯେ ଅଭିଯୋଗ ଆଧାରରେ ତଦନ୍ତ  କରାଯିବ ଓ ଉପଯୁକ୍ତ ପଦକ୍ଷେପ ନିଆଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.