ନୂଆଦିଲ୍ଲୀ,୨୨।୯: ଅମୃତସର ସ୍ବର୍ଣ୍ଣ ମନ୍ଦିର ପରିସରରେ ଅଘଟଣ। ଜଣେ ଯୁବକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଶ୍ରୀଗୁରୁ ନାନକ ଦେବ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ଯାଞ୍ଚ କରୁଛି ଓ ମୃତକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। କୁହାଯାଉଛି ଯେ, ଯୁବକ ଜଣକ ମନ୍ଦିରକୁ ଦର୍ଶନ ପାଇଁ ପହଁଞ୍ଚିଥିବା ଜଣେ ଭିଆଇପିଙ୍କ ଗନମ୍ୟାନ୍ଙ୍କଠାରୁ ପିସ୍ତଲ ଛଡାଇ ନେଇଥିଲେ।
ମିଳିଥିବା ସୂଚନା ଅନୁସାରେ, କିଛି ଭିଆଇପି ନିଜର ସୁରକ୍ଷାକର୍ମୀଙ୍କ ସହ ସ୍ବର୍ଣ୍ଣ ମନ୍ଦିରକୁ ଯାଇଥିଲେ। ସେଭଳି ତାଙ୍କ ସୁରକ୍ଷାକର୍ମୀ ବାହାରେ ଠିଆ ହୋଇଥିଲେ। ଏହି ସମୟରେ ଜଣେ ଯୁବକ ସେଠାକୁ ଆସି ତାଙ୍କଠାରୁ ବନ୍ଧୁକ ଛଡାଇ ନେଇଥିଲେ ଓ ନିଜକୁ ଗୁଳି କରି ହତ୍ୟା କରିଥିଲେ। ଗୁଳି ମାଡ଼ ହେବାର ଶବ୍ଦ ଶୁଣିବା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା। ଯେଉଁ ସ୍ଥାନରେ ଯୁବକ ନିଜକୁ ଗୁଳି ମାରିଛନ୍ତି, ତାହା ସ୍ବର୍ଣ୍ଣ ମନ୍ଦିରର ଠିକ୍ ଆଗରେ ରହିଛି, ସେଠାରେ ଦୋକାନ ଅଛି। ଏହାକୁ ପ୍ରବେଶ ଦ୍ବାର କୁହାଯାଏ।
ପୋଲିସର କହିବା ଅନୁସାରେ, ନିଜକୁ ଗୁଳି ମାରିଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ଥିଲା। ମୃତକର ଏବେ ବି ପରିଚୟ ମିଳିପାରିନି। ପୋଲିସ ପଚରା ଉଚରା କରୁଛି। ସିସିଟିଭି ଫୁଟେଜ୍ ମଧ୍ୟ ଖୋଜା ଚାଲିଛି। ପୋଲିସ ମୃତଦେହକୁ କଷ୍ଟଡିରେ ନେଇ ଅମୃତସର ସିଭିଲ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।