ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ମହିଳା ଭଲିବଲ୍‌ କୋଚ୍‌ ଦିୟାଙ୍କ ପ୍ରୟାସ: ସାମାଜିକ ଆକଟକୁ ଡରିଲେନି, ସୃଷ୍ଟି କଲେ ୧୩୦ ଖେଳାଳି

କଟକ,୨୭/୦୬(ସୁକେଶ ବେହେରା): ଗାଁରେ ଝିଅ ମାନେ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧି ଭଲିବଲ୍‌ ଖେଳିବା ସାମାଜିକ ଚଳଣିର ଅଂଶ ନଥିଲା । ଲଜ୍ଜାବୋଧ ମନରେ ଥିଲା, ହାଫ୍‌ପ୍ୟାଣ୍ଟ୍‌ ପିନ୍ଧି ଘରୁ ବାହାରିବାକୁ ପରିବାର ବି ଆକଟ କରୁଥିଲେ । କିନ୍ତୁ ଏସବୁକୁ ଭ୍ରୁକ୍ଷେପ ନକରି ଏକ ଘରର ବୋହୂ ଦିୟା ପଦାକୁ ବାହାରିଲେ । ନିଜେ ହାଫ୍‌ପ୍ୟାଣ୍ଟ ପିନ୍ଧି ହାତରେ ଦୁଇଟା ଭଲିବଲ୍‌ ନେଇ ଘରକୁ ଘର, ସ୍କୁଲ୍‌ରୁ ସ୍କୁଲ୍‌ ବୁଲିଲେ । ଗାଁ ଲୋକ ବିଶ୍ୱାସରେ ନିଜ ଝିଅ ମାନଙ୍କୁ ଭଲିବଲ୍‌ ଖେଳିବାକୁ ଛାଡ଼ିଲେ। ଯେଉଁ ଗାଁରେ ୧୭/୧୮ ବର୍ଷ ବୟସରୁ ଝିଅଙ୍କୁ ବାହା ଦେଇ ପରିବାର ବୋଝ ତୁଟିଲା ବୋଲି ଚିନ୍ତା କରୁଥିଲେ, ଆଜି ସେହି ସବୁ ଗାଁରେ ଝିଅ ମାନେ ଭଲିବଲ୍‌ ଖେଳି ପ୍ରଶଂସା ସାଉଁଟୁଛନ୍ତି । ଝିଅଙ୍କ ବାହାଘର ବୟସ ବି ଚାରି, ପାଞ୍ଚ ବର୍ଷ ଗଡ଼ିଯାଉଛି ।

ପାଖାପାଖି ତିନିବର୍ଷର ପରିଶ୍ରମ ଓ ନିଷ୍ଠା  ୧୩୦ ବାଳିକା ଭଲିବଲ୍‌ ଖେଳାଳି ସୃଷ୍ଟି କରିଛନ୍ତି । ଏଥିରୁ ୪୫ ଜଣ ରାଜ୍ୟସ୍ତରୀୟ ଓ ୭ଜଣ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିସାରିଲେଣି । ଜଣେ ସଫଳ ମହିଳା କୋଚ୍‌ ଭାବେ ଦିୟା ମଜୁମ୍‌ଦାର୍‌ଙ୍କ ଏଭଳି ଉଦ୍ୟମ କେବଳ ଖେଳାଳି ସୃଷ୍ଟି କରିଛି ତାହା ନୁହଁ, ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସର ଆଗରେ ପ୍ରତିରୋଧର ପାଚେରି ହୋଇ ଛିଡ଼ା ହୋଇଛି । ଭଲିବଲ୍‌ ପ୍ରଶିକ୍ଷଣ ପାଇଁ ସେ କୌଣସି ଫି’ ନିଅନ୍ତି ନାହିଁ । 

ଦିୟା କୁହନ୍ତି, ‘ବାରମାସର ତେର ପରବରେ ତାଙ୍କ ଘରକୁ ପୁଞ୍ଜା ପୁଞ୍ଜା ପିଠା ଆସେ । ଚୁଲି ମୂଳରେ ବସି ପିଠା ତିଆରି ବି ଶିଖିବାକୁ ମିଳିଛି । ପ୍ରଶିକ୍ଷାର୍ଥୀ ମାନଙ୍କ ସେହ୍ନଶ୍ରଦ୍ଧା ଓ ଭଲପାଇବା ମୋତେ ବାନ୍ଧିରଖିଛି ।’ ସବୁଠାରୁ ବଡ଼ କଥା, ଓଡ଼ିଆ ଠିକ୍‌ ଭାବେ କହିପାରୁନଥିବା ଦିୟା ଆଜି ନିଜ ପ୍ରଶିକ୍ଷାର୍ଥୀ ମାନଙ୍କ ଠାରୁ ସ୍ପଷ୍ଟ ଓଡ଼ିଆ କହିବା ଶିଖିଗଲେଣି । ଦିୟାଙ୍କ ଘର ପଶ୍ଚିମବଙ୍ଗରେ । ଭଲିବଲ୍‌ କୋଚ୍‌ ଆଶୁତୋଷ ପାତ୍ରଙ୍କୁ ବିବାହ କରିଛନ୍ତି । ଶଶୁର ଘର ଜଗତସିଂହପୁରରେ । କିନ୍ତୁ ଟାଟା ଷ୍ଟିଲ୍‌ରେ ନିଯୁକ୍ତ ସ୍ୱାମୀଙ୍କ ପୋଷ୍ଟିଂ ପାଇଁ ସେ ଢେଙ୍କାନାଳର ପାଇକପୁରୁଣାକୋଟ୍‌ ଠାରେ ରହୁଛନ୍ତି । ଦିୟା ପୂର୍ବରୁ ଭଲିବଲ୍‌ ଖେଳାଳି ଥିଲେ । ପରେ ମହିଳା କୋଚ୍‌ ଭାବେ ଭାରତୀୟ ଭଲିବଲ୍‌ ମହାସଂଘରୁ ସାର୍ଟିଫିକେଟ୍‌ ହାସଲ କରିଛନ୍ତି । 

ସ୍ୱାମୀ ଚାକିରିକୁ ଯିବା ପରେ ଗୃହିଣୀ ଜୀବନ ବିତାଇବା ଭିତରେ ଦିୟାଙ୍କ ଭିତରେ କେଉଁଠି ନା କେଉଁଠି ଭଲିବଲ୍‌ ପ୍ରତି ଦୁର୍ବଳତା ତାଙ୍କୁ ପଡ଼ିଆକୁ ଟାଣି ନେଉଥିଲା । କିନ୍ତୁ ଢେଙ୍କାନାଳରେ କୌଣସି ଝିଅ ଖେଳାଳି ନଥିଲେ, ଯେଉଁମାନଙ୍କ ସହ ସେ ଅଭ୍ୟାସ କରିଥାନ୍ତେ । ଏଭଳି ସ୍ଥିତିରେ ଦିୟା ନିଜର ଏକ ଟିମ୍‌ ଗଠନ ପାଇଁ ଚିନ୍ତା କରିଲେ । ଆଖପାଖ ଗାଁରେ ବୁଲି ଝିଅଙ୍କୁ ଭଲିବଲ୍‌ କୋର୍ଟକୁ ଆଣିବାକୁ ଚେଷ୍ଟା କଲେ । କିନ୍ତୁ ଏତେ ସହଜ ନଥିଲା ଦିୟାଙ୍କ ଉଦ୍ୟମ । ଝିଅ ମାନେ ସାଧାରଣତଃ ଶୀଘ୍ର ବାହା ହେଉଥିବାରୁ ଏବଂ ଭଲିବଲ୍‌ ଖେଳିବା ପାଇଁ ହାଫ୍‌ପ୍ୟାଣ୍ଟ ପିନ୍ଧିବାକୁ ପଡୁଥିବାରୁ ଲୋକଙ୍କୁ ବୁଝାଇବା କଷ୍ଟସାଧ୍ୟ ଥିଲା । ଯାହାଫଳରେ ନିଜେ ହାଫ୍‌ପ୍ୟାଣ୍ଟ ପିନ୍ଧି ଲୋକଙ୍କୁ ବୁଝାଇ ଝିଅ ମାନଙ୍କ ହାତ ଧରି ପଦାକୁ ଆଣିଲେ । ଏକାଠି କରି ସମସ୍ତଙ୍କୁ ଭଲିବଲ୍‌ ଖେଳାଇଲେ ଦିୟା ।

ଢେଙ୍କାନାଳର ପାଇକପୁରୁଣାକୋଟ୍‌, ନୂଆଗାଁ, ନୂଆହାଟ ଭଳି ବିଭିନ୍ନ ପଞ୍ଚାୟତରେ ମହିଳା ଭଲିବଲ୍‌କୁ ଆଦୃତି କରାଇବାରେ ଦିୟାଙ୍କ ପ୍ରମୁଖ ଭୂମିକା ରହିଆସିଛି । ଦିନେ ଯେଉଁ ଜିଲ୍ଲାରେ ମହିଳା ଭଲିବଲ୍‌ ନଥିଲା, ସେଠି ଆଜି ଢେଙ୍କାନାଳ ୧୪ବର୍ଷରୁ କମ୍‌ ବାଳିକା ବର୍ଗରେ ଚାମ୍ପିଅନ୍‌ ହୋଇଛି । ୪୫ଜଣ ରାଜ୍ୟସ୍ତରୀୟ ଖେଳାଳି ବାହାରିଛନ୍ତି ଏଠାରୁ । ସେହିପରି ବର୍ଷାରାଣୀ ନାୟକ, ପ୍ରିୟଙ୍କା ନାୟକ, ବିଦୁସ୍ମିତା ନାୟକ, ବିଷ୍ଣୁପ୍ରିୟା ରାଉଳ, ରିଙ୍କି ସାହୁ, ସୌମ୍ୟସନ୍ଦିପା ଗଡ଼ନାୟକ, ପ୍ରାଚୀ ପ୍ରିୟଦର୍ଶିନୀ ଭୁକ୍ତା ପ୍ରମୁଖ ଜାତୀୟ ଖେଳାଳି ଦିୟାଙ୍କ ସୃଷ୍ଟି କରିଥିବା ପ୍ରତିଭାଙ୍କ ମଧ୍ୟରୁ ଅନ୍ୟତମ । 

 ‘ମହିଳା ଭଲିବଲ୍‌ର ବିକାଶର ଚିନ୍ତାଧାରା ମୋ ମୁଣ୍ଡରେ ଥିଲା । ସୁଯୋଗକୁ ମୋତେ ଢେଙ୍କାନାଳରେ ଏତେ ସୁନ୍ଦର ପରିବେଶ ମିଳିଗଲା । ଏଠି ଝିଅ ମାନେ ଏବେ ପଦାକୁ ବାହାରି ହାଫ୍‌ପ୍ୟାଣ୍ଟ୍‌ ପିନ୍ଧି ଭଲିବଲ୍‌ ଖେଳୁଛନ୍ତି, ତାହା ମୋତେ ଆତ୍ମସନ୍ତୋଷ ଦେଇଛି । ପ୍ରାପ୍ୟ ବଦଳରେ ମୁଁ ସେମାନଙ୍କ ଠାରୁ ଓଡ଼ିଆ କହିବା ଶିଖିଛି । ଆଗକୁ ଓଡ଼ିଶାରେ ମହିଳା ଭଲିବଲ୍‌ ଏକାଡେମୀ ପ୍ରତିଷ୍ଠା କରିବା ମୋର ଲକ୍ଷ୍ୟ ରହିଛି ବୋଲି ଦିୟା କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.