ବାରିପଦା,୧୯/୦୩: ବିଭିନ୍ନ ଜନଜାତିଙ୍କ ପ୍ରଥା ଓ ପରମ୍ପରା ବେଳେ ବେଳେ ମଣିଷ ପଣିଆର ବିରୋଧୀ ପାଲଟିଯାଏ । ଏଭଳି ଏକ ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରଠାରୁ ମାତ୍ର ୭ କିମି ଦୂର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଜୟବିଲାଠାରେ । ଏଠାରେ ତିନିଦିନ ଧରି ଜଣେ ୭୦ ବର୍ଷିଆ ବୃଦ୍ଧାଙ୍କ ଶବ ସେମିତି ପଡି ରହିଥିବା ବେଳେ ଗାଁ ଲୋକେ ତାଙ୍କ ପ୍ରଥା ଓ ପରମ୍ପରାର ଦ୍ୱାହି ଦେଇ ଶବ ସତ୍କାର କରିବାକୁ ଆସି ନଥିଲେ । ସେପଟେ ମୃତକଙ୍କ ପୁଅ ଡାକ୍ତର ସିଂ ଗାଁ ଲୋକଙ୍କୁ ୧୦ କିଲୋ ମେଣ୍ଢା ମାଂସ ଦେବାକୁ ରାଜି ହେବା ପରେ ସେମାନେ ଶବ ସତ୍କାର ପାଇଁ ଆଗକୁ ଆସିଥିଲେ । ଏପରି ଘଟଣା ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି ।
ସୂଚନା ଅନୁଯାୟୀ ଜୟବିଲା ଗ୍ରାମରେ ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ଶନିବାର ଦ୍ୱିପ୍ରହରରେ ମୃତ୍ୟୁ ହୋଇଥିଲା । ମୁଣ୍ଡା ଜନଜାତିଙ୍କ ପରମ୍ପରା ଅନୁଯାୟୀ ଗ୍ରାମବାସୀଙ୍କୁ ପଣ ଦେବାରେ ମୃତକଙ୍କ ପୁଅ ଅକ୍ଷମ ହୋଇଥିଲେ । ପଣ ଥିଲା ଯେ ମୃତକଙ୍କ ସମ୍ପର୍କୀୟ ୧୦ କିଲୋ ମେଣ୍ଢା ମାଂସ ଦେଲେ ଯାଇ ଶବ ଉଠିବ । ମାତ୍ର ସୋମବାରୀଙ୍କ ପୁଅ ଡାକ୍ତର ସିଂ ଏହା ଦେବାକୁ ସକ୍ଷମ ହୋଇନଥିଲେ । ତେଣୁ ସୋମବାରଠାରୁ ଶବ ସେମିତି ଘରେ ପଡିରହିଥିଲା । ଗ୍ରାମବାସୀ ଶବ ସତ୍କାର କରାଇ ଦେଇନଥିଲେ । ତାଙ୍କ କହିବା କଥା ମୃତକର ପୁଅ ଓ ତାର ପରିବାର ଗାଁ ଲୋକଙ୍କ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଖାଇ ପିଇ ଆସୁଥିବା ବେଳେ ଗାଁ ଲୋକଙ୍କୁ କେବେ କୌଣସି କାର୍ଯ୍ୟକ୍ରମରେ ଡ଼ାକି ଖାଇବାକୁ ଦେଇନାହାନ୍ତି ।
ଗାଁରେ ଯେଉଁ ପ୍ରଥା ରହିଛି ସେଥିରେ ସମସ୍ତେ ପୂରୁଛନ୍ତି । ଡାକ୍ତର ସିଂ ନିଜେ ଯାଇ ଅନ୍ୟ ଘରେ ଖାଇପିଇ ଆସୁଛି । ମାତ୍ର ନିଜ ମା’ ବେଳକୁ ସେ କାହିଁକି ପଛଘୁଞ୍ଚା ଦେଉଛି । ନିଜେ ଏକରୁ ଅଧିକ ବାହା ହୋଇଥିଲେ ସୁଦ୍ଧା କାହାକୁ ବି ଡାକ୍ତର ଭୋଜିଭାତ ଦେଇନାହିଁ । ତେଣୁ ପରମ୍ପରା ମୁତାବକ ଗାଁ ଲୋକଙ୍କୁ ମେଣ୍ଢା କିମ୍ବା ଛେଳି ମାଂସ ଖାଇବାକୁ ଦେଲେ ଯାଇ ଶବ ସତ୍କାର ହେବ । ତେବେ ମୃତକଙ୍କ ବଡ଼ ପୁଅ ଡାକ୍ତର ସିଂହ କୌଣସି ମତେ ୧୦ କିଲୋ ମେଣ୍ଢା ମାଂସ ଦେବାର କଥା ଦେବା ପରେ ଗାଁ ଲୋକେ ଶବ ସତ୍କାର ପାଇଁ ହାତ ବଢାଇଥିଲେ।