ଭୁବନେଶ୍ଵର, ୨୭/୦୮ : ଭୁବନେଶ୍ଵରରେ ଭଙ୍ଗା ହେବ ୧୯୧ ବେଆଇନ ଆପାର୍ଟମେଣ୍ଟ। ବିଡିଏ ଅଧୀନରେ ଥିବା ବେଆଇନ ଭାବେ ୪୯୧ ଟି ଆପାର୍ଟମେଣ୍ଟ ଥିବା ଅଭିଯୋଗ ହୋଇଥିଲା। ଏଥିରୁ ୧୯୧ଟି ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୬୩ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ଟି ମାମଲା ବିଚାରାଧୀନ ରହିଛି। ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ସୂଚନାନୁଯାୟୀ, ରାଜଧାନୀ ସମେତ କଟକ, ପୁରୀ, ଖୋର୍ଦ୍ଧା, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର ସମେତ ପ୍ରାୟ ସବୁ ଜିଲ୍ଲାର ସହରାଞ୍ଚଳରେ ଲକ୍ଷାଧିକ ଆପାର୍ଟମେଣ୍ଟ ଗଢ଼ି ଉଠିଛି । ଏହାକୁ ଛାଡ଼ି ମାଳ ମାଳ ବହୁତଳ ପ୍ରାସାଦ ଓ ଆବାସିକ କୋଠା ତିଆରି ହୋଇଛି । ଅନେକ କୋଠା ବେଆଇନ ଭାବେ ତିଆରି ହୋଇଛି । ଲୋକଙ୍କ ସୁରକ୍ଷାକୁ ଅଣଦେଖା କରି ଏସବୁ ତିଆରି ହେଉଛି । ବିଗତ ଦିନରେ କିଛି ଆପାର୍ଟମେଣ୍ଟ ଓ କୋଠାରେ ନିଆଁ ଲାଗିବା ସମୟରେ ଏହାକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନାକେଦମ୍ ହୋଇଥିବା ଦେଖିବାକୁ ମିଳିଛି । ଆପାର୍ଟମେଣ୍ଟ ଓ କୋଠାଗୁଡ଼ିକ ଆବଶ୍ୟକ ଅନୁମତି ନେଉନଥିବାରୁ ସରକାର ରାଜସ୍ୱ ବି ହରାଉଛନ୍ତି । ତେବେ ଅନେକ କ୍ଷେତ୍ରରେ ସରକାରଙ୍କ ଅନାବଶ୍ୟକ କଟକଣା ଯୋଗୁ ଲୋକେ ଅନୁମୋଦନ ନ ନେଇ କୋଠା ତିଆରି କରୁଛନ୍ତି । ମାତ୍ରାଧିକ ଜଟିଳ ବ୍ୟବସ୍ଥା ଯୋଗୁ ଲୋକେ ସରକାରୀ ଅନୁମୋଦନକୁ ଏଡ଼ାଇ ଯାଉଛନ୍ତି । ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପାଇଁ ଆବେଦନ କଲେ ମାସ ମାସ ଲାଗୁଛି । କିଛି କ୍ଷେତ୍ରରେ ଏହା ବର୍ଷେ ଟପିଯାଉଛି । ପୁଣି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଓ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଦେବା ବ୍ୟବସ୍ଥାକୁ ସରଳୀକରଣ କରାଯାଉନି ବୋଲି ଅନେକ ରିଅଲ ଇଷ୍ଟେଟ୍ ସଂସ୍ଥା ଓ ଘରୋଇ ଲୋକେ ଅଭିଯୋଗ କରୁଛନ୍ତି ।