ଭୁବନେଶ୍ୱର, ୧୫।୫: ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ, ଯଦି ଜଣେ ଆଇନ୍ ଆଖିରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି, ଜଘନ୍ୟ ଅପରାଧ କରିନାହାନ୍ତି କିମ୍ବା ତାଙ୍କୁ ୨ ବର୍ଷରୁ ଅଧିକ ଦଣ୍ଡ ମିଳିନାହିଁ । ସେ କ୍ଷେତ୍ରରେ ସେ ନିର୍ବାଚନ ଲଢ଼ିପାରିବେ । ଏମିତିକି ବିଚାରାଧୀନ କଏଦୀ ଜେଲ୍ରେ ରହି ନିର୍ବାଚନ ଲଢ଼ିବା ସହ ଭୋଟ୍ ଦେଇ ପାରିବେ । ହେଲେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ୨୫ ଶହ କଏଦୀ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି । ଆଗକୁ ଆଉ ୩ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା ୧୫ ହଜାର ବିଚାରାଧୀନ କଏଦୀ ଭୋଟ ଦେଇପାରିବେ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜେଲ୍ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ୯୧ ଟି ଜେଲ୍ ରହିଛି ।
ସେଥିମଧ୍ୟରୁ ୧୦ ଟି ଜିଲ୍ଳା ଜେଲ୍, ୮ ଟି ମଣ୍ଡଳ ଜେଲ୍, ୬ଟି ସ୍ପେସାଲ୍ ଜେଲ୍, ୭ ଟି ସବ୍ ସ୍ପେସାଲ୍ ଜେଲ୍ ଓ ବାକି ସବୁ ସବ୍ ଜେଲ୍ ରହିଛି । ସବ୍ ଜେଲ୍ ମଧ୍ୟରୁ ୪ଟି ଅଚଳ । ୧୨ଟି ଜେଲ୍ରେ କଏଦୀ ନାହାନ୍ତି । ମେ’ ୧୩ ତାରିଖ ସୁଦ୍ଧା ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଜେଲ୍ରେ ୧୮ ହଜାର ୫୯୪ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧରୁ ୧୫ ହଜାର ୫ ଜଣ ବିଚାରାଧୀନ ଓ ୩୫୮୯ ଜଣ ଦଣ୍ଡ କାଟୁଥିବା କଏଦୀ ରହୁଛନ୍ତି । ବିଚାରାଧୀନ କଏଦୀ କିପରି ଭୋଟ ଦେଇପାରିବେ ସେଥିପାଇଁ ନିର୍ବାଚନ ପୂର୍ବରୁ ଜେଲ୍ ବିଭାଗକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଚିଠି ଲେଖିଥିଲେ । ଭୋଟିଂ କରିବାକୁ ହେଲେ ଜେଲ୍ କର୍ତ୍ତୃପକ୍ଷ ରିଟର୍ଣ୍ଣିଂ ଅଫିସ୍ର (ଆର୍ଓ) ଙ୍କୁ ଜଣାଇବେ । ଏହାହେଲେ ମତଦାନ ପୂର୍ବରୁ ଆର୍ଓ ପୋଷ୍ଟାଲ୍ ବାଲାଟ ପେପର୍ ବ୍ୟବସ୍ଥା କରାଇବେ । କଡ଼ା ସୁରକ୍ଷାରେ ଜେଲ୍ରେ ମତଦାନ କରାଯିବ । ହେଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଗଲା । ଜେଲ୍ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଲେ ନାହିଁ । ଫଳରେ ପାଖାପାଖି ୨୫ ଶହ କଏଦୀ ଭୋଟ ଦେବାରୁ ବଞ୍ଚିତ ରହିଛନ୍ତି ।
ସେହିପରି ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଯଦି ଜେଲ୍ କର୍ତ୍ତୃପକ୍ଷ ଚାହିଁବେ, ତା’ ହେଲେ ବିଚାରାଧୀନ କଏଦୀ ଭୋଟ ଦେଇପାରିବେ । ଆଉ ୫ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ହେଲେ ରାଜ୍ୟର କୌଣସି ଜେଲ୍ ପକ୍ଷରୁ ରିଟର୍ଣ୍ଣିଂ ଅଫିସ୍ରଙ୍କୁ ଚିଠି ଲେଖାଯାଇନି । ଏ ନେଇ ଜେଲ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ବଡ଼ ବଡ଼ ଜେଲ୍ରେ କ୍ଷମତାଠାରୁ ୪ଶହରୁ ୫ ଶହ ଅଧିକ କଏଦୀ ରହୁଛନ୍ତି । ଆଉ କିଛି ଜେଲ୍ ରହିଛି ଯେଉଁଥିରେ କଏଦୀ ସଂଖ୍ୟା ଢେର କମ୍ । ଭୋଟିଂ କରିବାକୁ ହେଲେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ହେବ । ସେଥିପାଇଁ ପୁଲିସ୍ର ସହଯୋଗ ଆବଶ୍ୟକ ରହୁଛି । ନିର୍ବାଚନ ସମୟରେ ସବୁ ଜେଲ୍କୁ ପୁଲିସ ମିଳିବା ଅସମ୍ଭବ । ତେଣୁ ସୁରକ୍ଷା ଦୃଷ୍ଟିରୁ ମତଦାନ ହୋଇପାରୁ ନାହିଁ । ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବେ ତା’ହେଲେ ଭୋଟ ହେବ ବୋଲି ସେ କହିଛନ୍ତି ।