ଗାଜାସିଟି,୫ ।୮: ଗାଜା ସହରର ଦୁଇଟି ସ୍କୁଲରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ । ଏୟାର ଷ୍ଟ୍ରାଇକ୍ରେ ୩୦ ମୃତ । ରବିବାର ଆଇଡିଏଫ ଗାଜାସିଟିର ଦୁଇଟି ସ୍କୁଲ ଉପରେ ତୃତୀୟ ଥର ପାଇଁ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏହି ହମଲାରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ରହିଛନ୍ତି ।
ସୂଚନା ଅନୁଯାୟୀ, ଏୟାର ଷ୍ଟ୍ରାଇକ୍ ହୋଇଥିବା ଦୁଇଟି ସ୍କୁଲରେ ବିସ୍ଥାପିତ ପାଲେଷ୍ଟାନୀୟ ଆଶ୍ରୟ ନେଇଥିଲେ । ପଶ୍ଚିମ ଗାଜା ସିଟିରେ ଥିବା ହାସନ ସଲମା ଓ ଅଲ୍-ନାସର ସ୍କୁଲ ଉପରେ ଏହି ଆକ୍ରମଣ କରାଯାଇଥିଲା । ଗାଜା ସିଭିଲ ଡିଫେନ୍ସ ବିଭାଗର ମୁଖପାତ୍ର ମାମୁଦ ବସଲ ଏକ ବିବୃତ୍ତିରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗାଜା ସିଟିରେ ଆଉ କୌଣସି ସ୍ଥାନ ନିରାପଦ ନୁହେଁ । ଗାଜାର ଶେଖ୍ ରଡୱାନ ଅଞ୍ଚଳରେ ଥିବା ଏକ ସ୍କୁଲ ଉପରେ ଶନିବାର ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ୍ କରିବା ଫଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି ।
କହିରଖୁ କି, ଗତବର୍ଷ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ସେନା ଗାଜାର ୧୭୨ଟି ଆଶ୍ରୟ କେନ୍ଦ୍ର ଉପରେ ଆକ୍ରମଣ କରିସାରିଲାଣି । ଆକ୍ରମଣ କରିଥିବା ଆଶ୍ରୟ କେନ୍ଦ୍ର ମଧ୍ୟରୁ୧୫୨ଟି ସ୍କୁଲ ରହିଛି । ସ୍କୁଲ ଉପରେ ଇସ୍ରାଏଲ ସେନାର ଏହି ଆକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ଗତ ୧୦ ମାସ ଧରି ଇସ୍ରାଏଲ ସେନା ପାଲେଷ୍ଟାନୀୟଙ୍କ ଉପରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କୀଙ୍କୁ ନିପାତ କରିବା ନାଁରେ ସାଧାରଣ ଲୋକ, ମହିଳା ଓ ଛୋଟ ପିଲାଙ୍କୁ ଟାର୍ଗେଟ କରି ହତ୍ୟା କରୁଛି ଇସ୍ରାଏଲ ।