ମାଲକାନଗିରି, ୧୨/୮(ଆପ୍ର ) : କେନ୍ଦ୍ରସରକାରଙ୍କ ନିମନ୍ତ୍ରଣ କ୍ରମେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ପ୍ୟାରେଡ ଦର୍ଶନ ଓ ସମ୍ମାନିତ ହେବା ପାଇଁ ଦିଲ୍ଲୀରେ ଆଜି ପହଁଚିଛନ୍ତି ମାଲକାନଗିରି ଜିଲ୍ଲା ର ୫ଜଣ ଆଦିବାସୀ ଚାଷୀ।ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ଆଦିବାସୀ ମହିଳା ଚାଷୀ। ଦିଲ୍ଲୀ ଗସ୍ତରେ ଯାଇଥିବା ଚାଷୀମାନେ ହେଲେ ଚିତ୍ରକୋଣ୍ଡା ବ୍ଲକରୁ ସାଧୁରାମ ମୁଦୁଲି , ଖଇରପୁଟ ବ୍ଲକର ଜଗନ୍ନାଥ ଦଳେଇ ଓ ବନଶ୍ରୀ ଦଳେଇ ,ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ ମୁକାଗୁଡା ଗ୍ରାମର ପଦ୍ମନ ସରବୁ ଓ ଗୁରୁବାରୀ ସରାବୁ ।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରୁ ଦୁଇଜଣ ଚିତ୍ରକୋଣ୍ଡା ବ୍ଲକରୁ ଜଣେ, ମାଥିଲି ବ୍ଲକ ରୁ ଦୁଇଜଣ ଚାଷୀଙ୍କୁ ମୋଟ ୫ଜଣଙ୍କୁ ଦିଲ୍ଲୀ ଯିବା ନିମନ୍ତେ ମନୋନୀତ କରାଯାଇଥିଲା। ଏହି ଚାଷୀ ମାନେ ଦିଲ୍ଲୀ ଠାରେ ଆୟୋଜିତ ପ୍ୟାରେଡ ଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ଭେଟିବାର କାର୍ଯ୍ୟକମ ରହିଛି। କେବେ ଉଡ଼ାଜାହାଜ ଦେଖିନଥିବା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚାଷୀ ଉଡ଼ାଜାହାଜରେ ବସି ଦିଲ୍ଲୀ ଯାତ୍ରା କରିବା ସେମାନଙ୍କ ପାଇଁ ସ୍ୱପ୍ନ ହେଲେ ମଧ୍ୟ ସତ୍ୟ ହୋଇଛି। ଏହି ଚାଷୀ ଓ ଜିଲ୍ଲାବାସୀ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।