ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାନସିକ ବିକୃତ ଯୁବତୀଙ୍କ ହାତଗୋଡ଼ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ: ଜଣେ ଗିରଫ, ଅନ୍ୟ ଜଣେ ଫେରାର

ବିଞ୍ଝାରପୁର/ସିଂହପୁର, ୩୦/୧୧: ଦୁଇ ଜଣ ମଦ୍ୟପ ଜଣେ ମାନସିକ ବିକୃତ ଯୁବତୀଙ୍କ ହାତଗୋଡ଼ ବାନ୍ଧି ଗଣଦୁଷ୍କର୍ମ  କରିଥିବା ଅଭିଯୋଗ ହୋଇଛି । ଗୋବର ଗୋଟାଉଥିବା ଜଣେ ମହିଳା ତାଙ୍କୁ ଉଦ୍ଧାର  କରିଥିଲେ । ଏହାକୁ ନେଇ ପୀଡ଼ିତା ଥାନା ଦ୍ୱାରସ୍ଥ ହେଲେ । ମାତ୍ର ସୀମା ବିବାଦକୁ ନେଇ ପୁଲିସ ପ୍ରଥମେ ଅଭିଯୋଗ ରଖିଲାନି । ଶେଷରେ ଯୁବତୀଜଣକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ବିଞ୍ଝାରପୁର ଥାନା ବାଙ୍ଗରା ଅଞ୍ଚଳର ନନ୍ଦ ଜେନାଙ୍କ ପୁଅ ଗୋବିନ୍ଦ । ଅନ୍ୟ ଅଭିଯୁକ୍ତ ଏହି ଅଞ୍ଚଳର ପାଗଳ ଜେନାଙ୍କ ପୁଅ କବିନ୍ଦ୍ର  ଫେରାର ଥିବା ପୁଲିସ କହିଛି ।  

ଅଭିଯୋଗ ମୁତାବକ, ଗତ ୨୪ ତାରିଖ  ପୂର୍ବାହ୍ଣରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପଣଶଗଣ୍ଡ ଅଞ୍ଚଳର ଦଳିତ ତଥା ମାନସିକ ବିକୃତ ଯୁବତୀଜଣଙ୍କ ନିଜ ମାମୁ ଘର ବିଞ୍ଝାରପୁର ଥାନା ଅନ୍ତର୍ଗତ ଅର୍ଗଳକଟ ଅଞ୍ଚଳକୁ ଚାଲି ଚାଲି ଆସୁଥିଲେ । ବାଙ୍ଗରା  ନିକଟସ୍ଥ ଏକ ସେତୁ ନିକଟରେ ବସିଥିବା ଦୁଇ ମଦ୍ୟପ ଯୁବକ କବିନ୍ଦ୍ର ଓ ଗୋବିନ୍ଦ  ସଂପୃକ୍ତ ଯୁବତୀଙ୍କୁ ତାଙ୍କ ମାମୁ ଘରେ ଛାଡ଼ି ଦେବାକୁ କହି ଏକ ବାଇକ୍‌ରେ ବସାଇ ବାଙ୍ଗରା ଛୋଟାଗଡ଼ିସ୍ଥିତ ଶିବ ମନ୍ଦିର ନିକଟ ନିରୋଳା  ସ୍ଥାନକୁ ନେଇଥିଲେ । ତାଙ୍କ ହାତଗୋଡ଼କୁ  ବାନ୍ଧି ଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ବିକଳ ଚିତ୍କାର ଶୁଣି ନିକଟରେ ଗୋବର ଗୋଟାଉଥିବା ଜଣେ ମହିଳା ପହଞ୍ଚି ଯୁବତୀଙ୍କୁ ଉଦ୍ଧାର  କରିବା ସହିତ ପାଟି କରି ଡାକିବାରୁ ଅଭିଯୁକ୍ତ  ଦୁଇଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। 

ଘଟଣାକୁ ନେଇ ମହିଳାଜଣକ ଯୁବତୀଙ୍କ  ମାମୁ ଘରେ ଜଣାଇଥିଲେ । ପରେ ଯୁବତୀଙ୍କ ପରିବାର ଲୋକେ ବିଞ୍ଝାରପୁର ଥାନାକୁ  ଅଭିଯୋଗ କରିବା ପାଇଁ ଯାଇଥିଲେ । ମାତ୍ର  ଘଟଣା ଘଟିଥିବା ସ୍ଥାନ ଯାଜପୁର ଓ କେନ୍ଦ୍ରାପଡ଼ା ସୀମାଞ୍ଚଳରେ ଯାଉଥିବାରୁ ଅଭିଯୋଗ ରଖିବାକୁ ପୁଲିସ ରାଜି ହୋଇନଥିଲା । ଏତିକିରେ କିନ୍ତୁ ପୀଡ଼ିତାର ପରିବାର ହାର୍‌ ମାନି ନଥିଲେ । ଘଟଣାକୁ ନେଇ ୨୮ ତାରିଖ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ୍‌ପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଞ୍ଝାରପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ମାମଲା ରୁଜୁ  କରି ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ଗୋବିନ୍ଦକୁ ତା’  ଘରୁ ଉଠାଇ ଆଣିଥିଲା । ପଚରାଉଚୁରା ପରେ ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ଅନ୍ୟ ଅଭିଯୁକ୍ତ କବିନ୍ଦ୍ର ଏବେ ବି ଫେରାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.