ନବରଙ୍ଗପୁର,୩୦/୧୧: ୨୦୨୪ ନିର୍ବାଚନ ପାଇଁ ଏଥର ଅଧିକ ଚର୍ଚ୍ଚାରେ ରହିଛି ଡାବୁଗାଁ ନିର୍ବାଚନମଣ୍ଡଳୀ । ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କେବଳ ନିର୍ବାଚନ ନୁହେଁ, ଅନ୍ୟ ସମୟରେ ବି ଭୋଟରଙ୍କୁ ବିଭିନ୍ନ ଉପହାର ଦେଇ ନିଆରା ଢଙ୍ଗରେ ଯୋଗସୂତ୍ର ରକ୍ଷା କରିଆସିଛନ୍ତି । ଏଥର ବି ସେ ଡାବୁଗାଁରୁ ଲଢ଼ିବା ଥୟ ବୋଲି କୁହାଯାଉଛି । କଂଗ୍ରେସ ପକ୍ଷରୁ ତାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ତଥା ପାପଡ଼ାହାଣ୍ଡି ଜିଲ୍ଲାପରିଷଦ ଜୋନ୍-୨ର ସଭ୍ୟା ଡା. ଲିପିକା ମାଝୀ । କଂଗ୍ରେସ ଆଶାୟୀ ଦୌଡ଼ରେ ଆଗରେ ରହିଛନ୍ତି ଲିପିକା । ତାଙ୍କୁ ଟିକଟ ମିଳିବା ନିଶ୍ଚିତ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି । ଉଭୟ ମନୋହର ଓ ଲିପିକା ନିଜ ନିଜ ମୈଦାନ ସଜାଡ଼ିବାରେ ବ୍ୟସ୍ତ ଥିବାବେଳେ ବିଜେପିର ଚାଲିଛି ପ୍ରାର୍ଥୀ ଖୋଜା ।
ଡାବୁଗାଁରେ ଏବେ ସୁଦ୍ଧା ବିଜେପି ଖାତା ଖୋଲିପାରିନି । ୨୦୦୪ରେ ବିଜେଡି ବାଜିମାତ୍ କରିଥିବା ବେଳେ ୨୦୦୯ ଓ ୨୦୧୪ରେ ଆସନକୁ କବ୍ଜା କରିଥିଲା କଂଗ୍ରେସ । ୨୦୧୯ରେ ପୁଣି ବିଜେଡି ହାତକୁ ଫେରିଥିଲା ଏହି ଆସନ । କଂଗ୍ରେସ ଓ ବିଜେଡିର ଭୋଟ୍ହାର ୩୯ରୁ ୪୪ ପ୍ରତିଶତ ରହୁଛି । ନୋଟା ଭୋଟ୍ହାର ୯.୯୪ ପ୍ରତିଶତ ରହୁଥିବା ବେଳେ ତାଠୁ କମ୍ ୭.୧୯ ପ୍ରତିଶତ ମିଳୁଛି ବିଜେପିକୁ ।
କଂଗ୍ରେସର ଲିପିକା ହେଉଛନ୍ତି ଜଣେ ଦାନ୍ତ ଡାକ୍ତର । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ କରି ସେ ରାଜନୀତିକୁ ଓହ୍ଲାଇଥିଲେ । ପାପହାହାଣ୍ଡି ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍ରୁ ୨ଟିକୁ ବିଜେଡି ଅକ୍ତିଆର କରିଥିବା ବେଳେ ତୃତୀୟଟି ଯାଇଥିଲା ଲିପିକାଙ୍କ ସପକ୍ଷରେ । ସେବେଠାରୁ ଲିପିକା ଶାସକ କଳର ଦୁର୍ନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ସରକାରୀ କଳକୁ ଅଡ଼ୁଆରେ ପକାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ତାଙ୍କ ବାପା ଭୁଜବଳ ପୂର୍ବତନ ବିଧାୟକ ରହିସାରିଛନ୍ତି । ତଥାପି ସାଧାରଣ ନିର୍ବାଚନ କ୍ଷେତ୍ରରେ ଲିପିକା ହେଉଛନ୍ତି ସମ୍ପୂର୍ଣ୍ଣ ନବାଗତା । ଅନ୍ୟପକ୍ଷରେ ଯଦି ତାଙ୍କ ଉପରେ କଂଗ୍ରେସ ଭରସା କରି ଟିକଟ ଦେଉଛି, ତାହେଲେ ବିଜେଡିର ରନ୍ଧାରୀଙ୍କୁ ତାଙ୍କୁ ଟକ୍କର ଦେବାକୁ ପଡ଼ିବ । ଏମିତିରେ ଶ୍ରୀ ରନ୍ଧାରୀ ରାଜନୀତିରେ ପୋଖତ । ନବରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଲଗାତାର ୨ଥର ବିଧାୟକ ରହିଛନ୍ତି । ଗତ ନିର୍ବାଚନରେ ନୂଆ କରି ଦଳରେ ଯୋଗ ଦେଇଥିବା ନାଲ୍କୋ ଅଧିକାରୀ ସଦାଶିବ ପ୍ରଧାନୀଙ୍କୁ ଦଳ ନବରଙ୍ଗପୁର ଆସନରୁ ଟିକଟ ଦେଇ ଶ୍ରୀ ରନ୍ଧାରୀଙ୍କୁ ଡାବୁଗାଁ ଆସନ ଛାଡ଼ିଥିଲା । ସେଠାରେ ବି ଶ୍ରୀ ରନ୍ଧାରୀ ବିଧାୟକ ନିର୍ବାଚିତ ହୋଇ ନିଜ ପତିଆରା ସାବ୍ୟସ୍ତ କରିଥିଲେ ।
ଏ ସମ୍ପର୍କରେ ଆମେ ଡା. ଲିପିକାଙ୍କ ସହ ଆଲୋଚନା କରିଥିଲୁ । ସେ କହିଛନ୍ତି, ଦୀର୍ଘଦିନ ଧରି ବିଜେଡି ଦୁର୍ନୀତିର ସୀମା ଟପିଯାଇଛି । ନବରଙ୍ଗପୁର ଜିଲ୍ଲା ସବୁବେଳେ ପଛୁଆ ହୋଇ ରହିଛି । ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଜିଲ୍ଲାଭିତ୍ତିକ ନିଯୁକ୍ତି ମିଳୁନାହିଁ । ଶ୍ରମିକଙ୍କ ହାତକୁ କାମଧନ୍ଦା ନାହିଁ । ପେଟପାଟଣା ପାଇଁ ଶହ ଶହ ଲୋକଙ୍କୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଏସବୁ କାରଣରୁ ବିଜେଡି ଶାସନରେ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ଯଦି ଟିକଟ ପାଇବେ, ଏସବୁକୁ ମୁଖ୍ୟ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ଡାବୁଗାଁ ବିଧାୟକ ରନ୍ଧାରୀ କହିଛନ୍ତି, ସରକାରର ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବେ । ଡାବୁଗାଁ ନିର୍ବାଚନମଣ୍ଡଳୀରେ ଗମନାଗମନ ଏବଂ ପାନୀୟଜଳ ସମେତ ଅନ୍ୟ ଉନ୍ନୟନମୂଳକ ଯୋଜନା ପାଇଁ ୧୨୦୦ କୋଟି ଟଙ୍କା ଅନୁଦାନ ମିଳିଛି । ଜିଲ୍ଲାରେ ଅନେକ ସେତୁ ନିର୍ମାଣ କାମ ଚାଲିଛି । ଆଗାମୀ ବର୍ଷା ଦିନରେ ନିର୍ବାଚନମଣ୍ଡଳୀର ଅପହଞ୍ଚ ବୋଲି ଆଉ କୌଣସି ଗାଁ ରହିବ ନାହିଁ । ଏସବୁ କାରଣରୁ ଏଥର ବି ଭୋଟର ତାଙ୍କ ସପକ୍ଷରେ ଯିବେ । ସୂଚନାଥାଉ କି, ୨୦୧୯ ନିର୍ବାଚନରେ ଏହି ଆସନରେ ବିଜେଡିର ଶ୍ରୀ ରନ୍ଧାରୀଙ୍କୁ ସର୍ବାଧିକ ୭୩ ହଜାର ୨୬୪ ଭୋଟ୍ ମିଳିଥିଲ । କଂଗ୍ରେସର ଭୁଜବଳ ୬୫୯୦୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏଥର ଭୁଜବଳ ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିବାରୁ ଝିଅ ଲିପିକାଙ୍କୁ ନିଜ ନିର୍ବାଚନମଣ୍ଡଳୀ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି ।