ଭୁବନେଶ୍ୱର, ୬।୯: ରାଜ୍ୟରେ ହାତୀ ମୃତ୍ୟୁ ଥମିବାର ନାଁ ଧରୁନି । ପ୍ରତି ସପ୍ତାହରେ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । କେଉଁଠି ଶିକାରୀ ଗୁଳି ଓ ତୀର ମାଡ଼ କରି ହାତୀଙ୍କ ଜୀବନ ନେଉଛନ୍ତି ତ ଆଉ କେଉଁଠି ରେଳ ଓ ଗାଡ଼ି ଧକ୍କାରେ ହାତୀଙ୍କ ଜୀବନ ଯାଉଛି । କେଉଁଠି ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ଘଟୁଛି । ସବୁଠାରୁ ବଡ଼କଥା ହେଉଛି ଅଧିକାଂଶ ହାତୀଙ୍କୁ ଶିକାରୀମାନେ ବିଦ୍ୟୁତ୍ କରେଣ୍ଟ୍ ଦେଇ ହତ୍ୟା କରୁଛନ୍ତି । ମଙ୍ଗଳବାର ଅନୁଗୁଳ ସାତକୋଶିଆରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ୍ ଆଘାତରେ ୨ ହାତୀଙ୍କ ଜୀବନ ଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତରେ ୮୬ ହାତୀଙ୍କ ଜୀବନ ଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ସର୍ବାଧିକ ୨୪ ହାତୀଙ୍କର ମୃତ୍ୟୁ ଘଟିଥିଲା । ୨୦୧୯-୨୦ ବର୍ଷରେ ୧୧, ୨୦୨୦-୨୧ ବର୍ଷରେ ୯, ୨୦୨୧-୨୨ ବର୍ଷରେ ୧୩, ୨୦୨୨-୨୩ ବର୍ଷରେ ୨୩ ଓ ୨୦୨୩-୨୪ ବର୍ଷରେ ଅର୍ଥାତ ୪ ମାସ ୫ ଦିନରେ ଆଜିକୁ ମିଶାଇ ୬ ହାତୀଙ୍କର ଜୀବନ ଗଲାଣି । ସବୁଠାରୁ ବଡ଼କଥା ହେଉଛି ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ୮୬ ହାତୀଙ୍କ ମଧ୍ୟରୁ ୬୨ ହାତୀଙ୍କୁ ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି । ଶିକାରୀମାନେ ହୁକ ପକାଇ କରେଣ୍ଟ୍ ଦେଇ ଏସବୁ ହାତୀଙ୍କୁ ହତ୍ୟା କରିଛନ୍ତି ।
ସେହିପରି ବିଦ୍ୟୁତ ଆଘାତରେ ଆକସ୍ମିକ ଭାବେ ୨୪ ହାତୀଙ୍କ ମୃତ୍ୟୁ ଘଟିଛି । ବିଭିନ୍ନ ସ୍ଥାନରେ ଓହଳି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ୨୪ ହାତୀଙ୍କ ଜୀବନ ଯାଇଛି । ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ବିଦ୍ୟୁତ୍ କରେଣ୍ଟ ଲାଗି ସର୍ବାଧିକ ୭ ହାତୀଙ୍କ ଜୀବନ ଯାଇଥିଲା । ଏକ ୧୩ ଟିକିଆ ପଲ ଗହୀରରେ ଅନ୍ୟ ଦିଗକୁ ଯାଉଥିବା ବେଳେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଘୋର ଆଲୋଡ଼ନ ସୃଷ୍ଟି ହୋଇଥିଲା ।