ବାଲେଶ୍ୱର, ୪/୯ : ବାଲେଶ୍ୱର ଫକୀରମୋହନ ମେଡିକାଲ କଜେଲ ଓ ହସ୍ପିଟାଲର ମେଡିସିନ ୱାର୍ଡରେ ଅଗ୍ନିକାଣ୍ଡ। ସୋମବାର ସକାଳେ ମେଡିସିନ ୱାର୍ଡରେ ନିଆଁ ଲାଗିଥିଲା। ଏହାକୁ ନେଇ ରୋଗୀ ଭୟଭୀତ ହୋଇଥିଲେ। ରୋଗୀମାନେ ୱାର୍ଡ ଛାଡ଼ି ବାହାରକୁ ପଳାଇ ଆସିଥିଲେ।
ସୂଚନାନୁଯାୟୀ, ସୋମବାର ସକାଳେ ରୋଗୀମାନେ ୱାର୍ଡରେ ଶୋଇଥିବା ବେଳେ ପ୍ଲାଷ୍ଟିକ ପୋଡା ଗନ୍ଧ ଆସିଥିଲା। କିଛି ସମୟ ପରେ ଧୂଆଁ ୱାର୍ଡ ଭିତରକୁ ମାଡ଼ି ଆସିଥିଲା। ଏହି ୱାର୍ଡରେ ନିଆଁ ଲାଗିଥିବା କଥା ପ୍ରଚାର ହେବା ପରେ ଜୀବନ ବିକଳରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ବାହାରକୁ ଚାଲି ଆସିଥିଲେ। ବିଦ୍ୟୁତ ସର୍ଟ୍ ସାର୍କିଟ୍ ପାଇଁ ଏଭଳି ଅଘଟଣ ଘଟିଥିବା ଜଣା ପଡିଥିଲା। ୱାର୍ଡରେ ଲାଗିଥିବା ଏକ ଏସି ପୋଡିଯାଇଥିବା ଦେଖିବାକୁ ମିଳିଥିଲା।
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ୟୁନିଟ ଚାଲୁଛି। ଏଠାକୁ ବାଲେଶ୍ୱର ସମେତ ପଡୋଶୀ ପଶ୍ଚିମବଙ୍ଗରୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି। ଏଠାକାର ଉନ୍ନତ ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରୁଛନ୍ତି। ଏଭଳି ପରିସ୍ଥିତିରେ ସର୍ଟ ସର୍କିଟ୍ ପାଇଁ ଏଠାରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଉଚ୍ଚ ପଦସ୍ଥ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ଵହୀନତାକୁ ନେଇ ଅସନ୍ତୋଷ ତେଜୁଛି।