ଭୁବନେଶ୍ୱର,୦୬/୧୧: କନ୍ଧମାଳକୁ ଚାଲିବ ଟ୍ରେନ୍ । ଦୀର୍ଘ ଦିନ ଧରି ଅଧୁରା ଥିବା ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବ । ବ୍ରହ୍ମପୁର (ଗୋପାଳପୁର)- ଫୁଲବାଣୀ-ସମ୍ୱଲପୁର ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କନ୍ଧମାଳକୁ ରେଳ ଚଳାଚଳ କରିବ । ଏହି ରେଳ ଲାଇନ ଗଞ୍ଜାମ, ବୌଦ୍ଧ, ଫୁଲବାଣୀ ଏବଂ ସମ୍ୱଲପୁର ୪ ଜିଲ୍ଲାକୁ ସଂଯୋଗ କରିବ । ତେବେ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି ରେଳ ମନ୍ତ୍ରଣାଳୟ । ତେବେ କେନ୍ଦ୍ର ବଜେଟରେ ପ୍ରକଳ୍ପ ଆବଣ୍ଟନ ବେଳେ ଏହି ରେଳ ପ୍ରକଳ୍ପରେ ଫୁଲବାଣୀକୁ ସାମିଲ କରାଯାଇନଥିଲା । ଯାହାକୁ ନେଇ କନ୍ଧମାଳ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଫୁଲବାଣୀକୁ ସାମିଲ କରିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ଆସନ୍ତା ଦିନରେ ବନ୍ଦ ଡାକରା ଦେବାକୁ ଚେତାବନୀ ମଧ୍ୟ ଦେଇଥିଲା । ତେବେ ଦୁର୍ଗମ ଜିଲ୍ଲାର ଲୋକଙ୍କ ଭାବନା ଏବଂ ଆକାଂକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର(ଗୋପାଳପୁର)-ଫୁଲବାଣୀ-ସମ୍ୱଲପୁର ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛି । ଏହା ସହ ବଜେଟରେ ୧ କୋଟି ଟଙ୍କାର ପ୍ରାଥମିକ ରାଶି(ଟୋକନ୍) ଆବଣ୍ଟନ କରିଛି ।
୨୪୦ କିଲାମିଟର ଦୈର୍ଘ୍ୟ ଏହି ପ୍ରସ୍ତାବିତ ରେଳ ଲାଇନ ଭୁବନେଶ୍ୱର-ବ୍ରହ୍ମପୁର ମାର୍ଗରେ ଜଗନ୍ନାଥପୁରରୁ ଆରମ୍ଭ ହେବ । ଏହାର ଚୂଡାନ୍ତ ସ୍ଥାନ ସମ୍ୱଲପୁର-ଅନୁଗୁଳ ରେଳ ଲାଇନର ରେଢ଼ାଖାଲରେ ସଂଯୋଗ ହେବ । ଏହି ରେଳ ମାର୍ଗ ଗଞ୍ଜାମ ଜିଲ୍ଲାରେ ଆସ୍କା ଓ ଭଞ୍ଜନଗର, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାକୁ ଛୁଇଁ ସମ୍ୱଲପୁର ଜିଲ୍ଲାର ରେଢ଼ାଖାଲ ଷ୍ଟେସନରେ ମିଶିବ । ଏହି ଲାଇନରେ ୧୮ଟି ଷ୍ଟେସନ ରହିବ । ଯଦି ଏହି ରେଳ ଲାଇନ ପୂର୍ଣ୍ଣ ହୁଏ, ତାହେଲେ ଏହା ଏହି ଉପାନ୍ତ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ବିକାଶକୁ ବୃଦ୍ଧି କରାଇବ । ଏହା ବ୍ୟତୀତ, ଗୋପାଳପୁର ବନ୍ଦରକୁ ମାଲ୍ ପରିବହନ ସହଜ ହେବ । ତେବେ ଟୋକେନ୍ ଟଙ୍କା ଆବଣ୍ଟନ କରି ପ୍ରକଳ୍ପ ପାଇଁ କେନ୍ଦ୍ରର ଆଗ୍ରହ ଥିବା ସୂଚନା ଦେଇଛି । ବଜେଟରେ ଏହି ପ୍ରକଳ୍ପ ଅର୍ଥ ମଞ୍ଜୁର ହୋଇଛି । ପରେ, ପ୍ରକଳ୍ପ ପାଇଁ ବିଭିନ୍ନ ପ୍ରାରମ୍ଭିକ କାର୍ଯ୍ୟ କରାଯିବ । ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହେବ । କ୍ଷେତ୍ର ଅଧ୍ୟୟନ ବି କରାଯିବ । ଏହି ସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ଼ (ଓରିଡ଼ିଲ)କୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି । ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟୋଗ ହେଉଛି ଓରିଡ଼ିଲ ।
୨୦୧୯ ଜୁଲାଇ ୩୦ରେ ଓଡିଶାର ବ୍ରହ୍ମପୁର (ଗୋପାଳପୁର)-ଫୁଲବାଣୀସମ୍ୱଲପୁର ନୂତନ ରେଳ ଲାଇନ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ବିନିଯାଗ କାର୍ଯ୍ୟକଳାପ ଗ୍ରହଣ କରିବା ପାଇଁ ଅନୁମତି ଦେଇଛି । ଯେଉଁଥିରେ ଚୂଡ଼ାନ୍ତ ଅବସ୍ଥାନ ସର୍ବେକ୍ଷଣ ଏବଂ ବିସ୍ତୃତ ପ୍ରକଳ୍ପ ରିପାର୍ଟ (ଡିପିଆର୍) ଅନ୍ତର୍ଭୁକ୍ତ । ଓରିଡ଼ିଲ ଦ୍ୱାରା ବୈଷୟିକ ଏବଂ ଆର୍ଥିକ କାର୍ଯ୍ୟକ୍ଷମତା ଭିତ୍ତିରେ ଫୁଲବାଣୀକୁ ବାଇପାସ୍ କରି ଏକ ଆଲାଇନମେଣ୍ଟକୁ ବିଚାର କରି ପ୍ରସ୍ତୁତ କରାଯାଇଛି ।