ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ବିଶାଲ ପଟେଲ ଲଣ୍ଡନର ବଡ଼ ଚାକିରି ଛାଡ଼ି ୟୁଏଇ ମନ୍ଦିରରେ ସେବା ଦେଉଛନ୍ତି । ସେ ୟୁଏଇରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରରେ ମୁଖ୍ୟ ଯୋଗାଯୋଗ ଅଧିକାରୀ ଭାବରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ବିଶାଳ ପଟେଲ ଲଣ୍ଡନରୁ ୟୁଏଇକୁ ଆସିଛନ୍ତି । ଏହା ପୂର୍ବରୁ ସେ ଲଣ୍ଡନର ଏକ ମନ୍ଦିରରେ ମଧ୍ୟ କାର୍ଯ୍ୟ କରୁଥିଲେ । ଇନଭେଷ୍ଟମେଣ୍ଟ ବ୍ୟାଙ୍କର ବିଶାଲ ପଟେଲ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ପୂର୍ବରୁ ସେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେଉଥିଲେ । ହେଲେ ତାଙ୍କର ବିଚାର ଏବେ ବଦଳିଯାଇଛି ।
୨୦୧୬ରୁ ୟୁଏଇରେ ତାଙ୍କ ପରିବାର ରହୁଛି । ସେଠାରେ ନିର୍ମିତ ହିନ୍ଦୁ ମନ୍ଦିର ତାଙ୍କ ଜୀବନକୁ ପ୍ରଭାବିତ କରିଛି ବୋଲି ବିଶାଲ ପଟେଲ କହିଛନ୍ତି । ଏବେ ମନ୍ଦିରରେ ସେବା ଯୋଗାଇବାକୁ ସୁଯୋଗ ମିଳିଥିବାରୁ ଏହାକୁ ହାତଛଡ଼ା କରିବାକୁ ଚାହୁଁନଥିବା ସେ କହିଛନ୍ତି । ଏମିରେଟ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ବିଶାଲ ପଟେଲ ଲଣ୍ଡନରେ ଥିବା ଏକ ମନ୍ଦିରରେ ଦୀର୍ଘ ବର୍ଷ ଧରି ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିଲେ । ଏହା ପରେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାର୍ଯ୍ୟ କରୁଥିଲେ । ଏବେ ପୁଣି ଥରେ ସେ ମନ୍ଦିରରେ ସେବା ଦେଉଛନ୍ତି ।
ଆବୁଧାବିରେ BAPS ହିନ୍ଦୁ ମନ୍ଦିରକୁ ଫେବୃଆରୀ ୧୪ରେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଥିଲେ । ୨୦୧୮ରେ ଏହି ମନ୍ଦିରର ଶିଳାନ୍ୟାସ ମଧ୍ୟ ମୋଦି କରିଥିଲେ । ୟୁଏଇରେ ନିର୍ମିତ ଏହି ବିଶାଳ ହିନ୍ଦୁ ମନ୍ଦିରକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଏହାକୁ ଭାରତ ଏବଂ ୟୁଏଇ ମଧ୍ୟରେ ଥିବା ସୁସମ୍ପର୍କକୁ ଦର୍ଶାଉଛି ବୋଲି କୁହାଯାଉଛି । ସେପଟେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଖରୁ ବିଶାଲ ପଟେଲ ସେବା ଦେଇଆସିଛନ୍ତି । ତାର ବାଡ଼ ଲଗାଇବା ପାଖରୁ ଉଦଘାଟନ ସମୟରେ ଅତିଥିଙ୍କ ଲାଗି ବ୍ୟବସ୍ଥା କରିବା ଯାଏଁ ସବୁକିଛି କରିଆସିଛନ୍ତି ବିଶାଲ ।
ସେ ଲଣ୍ଡନ ୟୁନିଭର୍ସିଟିରୁ ଅର୍ଥନୀତିରେ ଡିଗ୍ରି ହାସଲ କରିଛନ୍ତି । ପ୍ରଥମେ ସେଠାରେ ଏକ ମନ୍ଦିରରେ କାର୍ଯ୍ୟ କରିବା ପରେ ବ୍ୟାଙ୍କିଙ୍ଗ ସେକ୍ଟରରେ ପ୍ରବେଶ କରିଥିଲେ ବିଶାଲ । ଏଥିରେ ସଫଳତା ପାଇଥିଲେ ହେଁ ପୁଣି ଥରେ ଆଧ୍ୟାତ୍ମିକ ମାର୍ଗକୁ ଫେରିଆସିବାକୁ ନିର୍ଣ୍ଣୟ ନେଇଥିଲେ ବୋଲି ସେ କହିଛନ୍ତି । ବିଶାଲଙ୍କ ପରିବାର ଭାରତର ଗୁଜରାଟ ସହ ସଂପର୍କିତ କିନ୍ତୁ ସେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ।