ନୂଆଦିଲ୍ଲୀ ୦୩/୧୦: ରିଲିଜ୍ ହୋଇଛି କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ତେଜସ୍’ର ଟିଜର୍ । ସର୍ବେଶ ମେୱାରାଙ୍କ ନିର୍ଦ୍ଦେଶିତ ଓ ଲିଖିତ ଏହି ଫିଲ୍ମରେ ବାୟୁସେନା ପାଇଲଟ୍ ଭାବେ ନଜର ଆସିବେ କଙ୍ଗନା । ଟିଜର୍ ସହିତ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା ହୋଇଛି । ଫିଲ୍ମର ରିଲିଜ୍ ତାରିଖ ଅକ୍ଟୋବର ୨୦ ଥିଲା, ଯାହାକୁ ସପ୍ତାହେ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୭ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ ।
ଟିଜର୍ ଆରମ୍ଭରେ ଏକ ଫାଇଟର୍ ଜେଟ୍ ଉଡ଼ାଣ ଭରିବାକୁ ଯାଉଥିବା ବେଳେ କଙ୍ଗନାଙ୍କୁ ଉଡ଼ାଣ ଲାଗି ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଚ୍ଛଦରେ ଶୁଣିବାକୁ ମିଳୁଛି ‘ଜରୁରୀ ନେହିଁ ହର୍ ବାର୍ ବାତ୍ଚିତ୍ ହୋନି ଚାହିୟେ, ଜଙ୍ଗ୍ କେ ମୈଦାନ୍ ମେଁ ଅବ୍ ଜଙ୍ଗ୍ ହୋନି ଚାହିୟେ । ହୋଗୟା ହୈ ମେରେ ୱତନ୍ ପେ ଅବ୍ ବହୁତ୍ ସିତମ୍ । ଅବ୍ ତୋ ଆକାଶ୍ ସେ ବାରିଷ୍ ନହିଁ ଆଗ୍ ବରଷ୍ନି ଚାହିୟେ । ଭାରତ କୋ ଛେଡ଼ୋଗେ ତୋ ଛୋଡ଼େଙ୍ଗେ ନହିଁ ।’
ଏହା ପୂର୍ବରୁ କଙ୍ଗନା ଫିଲ୍ମର ଏକ ନୂଆ ପୋଷ୍ଟର୍ ଶେୟାର କରିଥିଲେ, ଯେଉଁଥିରେ ନୂଆ ରିଲିଜ୍ ତାରିଖ ଘୋଷଣା କରିଥିଲେ । ତାଙ୍କୁ ଫ୍ଲାଇଟ୍ ହେଲମେଟ୍ ପିନ୍ଧି ଫାଇଟର୍ ଜେଟ୍ ସହିତ ଦୌଡୁଥିବା ଦେଖିବାକୁ ମିଳିଥିଲା । ପଛରେ ବୋମା ବିସ୍ଫୋରଣ ହେଉଥିଲା । ଟିଜର୍ ସହିତ କଙ୍ଗନା ଲେଖିଥିଲେ ‘ଜବ୍ ଭି ବାତ୍ ଦେଶ୍ କି ଆୟେଗି, ୱ ସାରି ହଦେଁ ପାର୍ କର୍ ଜାୟେଗି’ । ପୂର୍ବରୁ କଙ୍ଗନା ଫିଲ୍ମ ‘ତେଜସ୍’ ସେଟ୍ରେ ବାସ୍ତବ ଜୀବନର ବାୟୁସେନା ଅଧିକାରୀଙ୍କୁ ଭେଟିବା ବେଳର ଫଟୋ ଶେୟାର କରିଥିଲେ । ସେ କହିଥିଲେ ‘ଯେତେବେଳେ ସତସତିକା ତେଜସ୍ରେ ବାସ୍ତବ ବାୟୁସେନା ଅଧିକାରୀ ‘ତେଜସ୍’ ସେଟ୍ରେ ଓହ୍ଲାଇଲେ, ମୋ ହିରୋଗିରି ଫ୍ୟାନ୍ଗିରିରେ ବଦଳିଗଲା ।’