ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଲାଗିରହିଛି । ଅଭିନେତ୍ରୀଙ୍କ ପ୍ରତି ହୋଇଥିବା ଏଭଳି ଅପମାନକୁ କଡ଼ା ନିନ୍ଦା କରିଛନ୍ତି ବଲିଉଡର ବହୁ ବରିଷ୍ଠ ଅଭିନେତା ଏବଂ ଅଭିନେତ୍ରୀ । ଖୋଦ ରଶ୍ମିକା ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ପରେ କେନ୍ଦ୍ର ସରକାର ଏଭଳି ଭିଡିଓ ଉପରେ ରୋକ ଲଗାଇବାକୁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଲାଗି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଆକ୍ସନ ମୁଡରେ ଆସିଛନ୍ତି ମୋଦୀ ସରକାର ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ରଶ୍ମୀକାଙ୍କ ନକଲି ଭିଡିଓ ତିଆରି ହେବା ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ଏକ୍ସ, ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ମର୍ଫଡ୍ ଫଟୋଗୁଡ଼ିକୁ ଡିଲିଟ୍ କରିବାକୁ କହିଛନ୍ତି ସରକାର । ଏହା ସହ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅଧିନିୟମ (ଆଇଟି ଆକ୍ଟ), ୨୦୦୦ର ଧାରା ୬୬ଡି ଅନୁସାରେ କମ୍ପ୍ୟୁଟର ବ୍ୟବହାର କରି କୌଣସି ହେରଫେର କଲେ ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ଲାଗିବ ।
ମଙ୍ଗଳବାର ଦିନ ସରକାରଙ୍କ ପକ୍ଷରୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶାନାମା ଅନୁସାରେ କୌଣସି ଉପଭୋକ୍ତାଙ୍କ ଦ୍ବାରା ଅଭିଯୋଗ ହୋଇଥିବା କୌଣସି ନକଲି ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ୩୬ ଘଣ୍ଟା ମଧ୍ୟରେ ଡିଲିଟ୍ କରିବେ । ନଚେତ ସମ୍ପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ସେଫ୍ ହାର୍ବର ଇମ୍ୟୁନିଟି’ ହରାଇବା ସହ ଅପରାଧିକ ମାମଲାର ସାମ୍ନା କରିବ ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁମାନେ AI ଦ୍ୱାରା ସୃଷ୍ଟି ହେଉଥିବା ଡିପଫେକ୍ର ଶିକାର ହେଉଛନ୍ତି ସେମାନେ ଆଇନ୍ର ଆଶ୍ରୟ ନେବା ଦରକାର। ଯଦି କୌଣସି ବ୍ୟକ୍ତିଙ୍କ କଦର୍ଥ କରାଯାଇଥିବା କିମ୍ବା ନକଲି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି ସେମାନେ ଥାନାରେ ଅଭିଯୋଗ କରିପାରିବେ । ଏହା ପରେ ସେମାନଙ୍କ ଫଟୋ କିମ୍ବା ଭିଡିଓକୁ ଭୁଲ ଉପାୟରେ ବ୍ୟବହାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସୂରୁପ ଜେଲ ଦଣ୍ଡ ଏବଂ ଜରିମାନା ଲାଗିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ସୋମବାର ଅଭିନେତ୍ରୀ ରାଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍(ନକଲି) ଭିଡିଓ ସୋସିଆଲ ମିଡିଆ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଭାଇରାଲ ହୋଇଥିଲା । ଅନ୍ୟ ଜଣେ ଯୁବତୀଙ୍କ ମୁହଁକୁ ଏଆଇ ସାହାଯ୍ୟରେ ରଶ୍ମୀକାଙ୍କ ଚେହାରା ବନାଇ ଏହି ଭିଡିଓକୁ ଭାଇରାଲ କରାଯାଇଥିଲା । ଏହା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହା ସହ ଖୋଦ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଏଭଳି ଅପରାଧରେ ସାମିଲ ଥିବା ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଥିଲେ ।