ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଜେ.ପି ଦାସଙ୍କ ପରଲୋକ, ଚିତ୍ରଶିଳ୍ପୀ ଭାବେ ଅର୍ଜନ କରିଥିଲେ ବିଶେଷ ଖ୍ୟାତି

କଟକ,୨୦/୧୧: ପୂର୍ବ  ଭାରତରେ ହୃଦ୍‌ରୋଗ ଚିକିତ୍ସାର ଭୀଷ୍ମ ପିତାମହ କୁହାଯାଉଥିବା ପ୍ରଖ୍ୟାତ  ଚିକିତ୍ସା ବିଜ୍ଞାନୀ ପ୍ରଫେସର ଡାକ୍ତର  ଯଦୁନାଥ ପ୍ରସାଦ ଦାସ (ଜେ.ପି  ଦାସ) ଆଉ ନାହାନ୍ତି । ଭୁବନେଶ୍ୱରରେ  ଏକ ଘରୋଇ ହସ୍ପିଟାଲ୍‌ରେ ରବିବାର  ତାଙ୍କର ପରଲୋକ ଘଟିଛି । ତାଙ୍କୁ  ୯୦ ବର୍ଷ ବୟସ ହୋଇଥିଲା । ଡାକ୍ତର ଦାସ କେବଳ ଜଣେ ଲୋକପ୍ରିୟ  ହୃଦ୍‌ରୋଗ ବିଶେଷଜ୍ଞ ନଥିଲେ,  ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ ମଧ୍ୟ ଥିଲେ । 

ତାଙ୍କ ପରଲୋକରେ ଚିକିତ୍ସା ବିଜ୍ଞାନୀ, ଚିତ୍ରଶିଳ୍ପୀ ଏବଂ ସାହିତ୍ୟିକଙ୍କ  ସମେତ ବିଭିନ୍ନ ମହଲରେ ଶୋକର ଛାୟା  ଖେଳିଯାଇଛି । ଡାକ୍ତର ଦାସଙ୍କ ଜନ୍ମସ୍ଥାନ  ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳରେ ହୋଇଥିଲେ ହେଁ,  କଟକ ମହାନଦୀ ବିହାର ଅଞ୍ଚଳରେ ସେ  ଦୀର୍ଘ ବର୍ଷ ହେବ ରହୁଥିଲେ । ପରଲୋକ  ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି,  ଚିକିତ୍ସକ ଏବଂ ଶୁଭେଚ୍ଛୁମାନେ ଡାକ୍ତର  ଦାସଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି  ଜଣାଇଥିଲେ । 

ଡାକ୍ତର ଦାସ ରାଣୀହାଟ  ହାଇସ୍କୁଲ୍‌ରୁ ୧୯୪୯ରେ ପାସ୍‌ କରିବା  ପରେ ରେଭେନ୍ସାରେ ଆଇଏସ୍‌ସି  ଡିଗ୍ରୀ ହାସଲ କରିଥିଲେ । ୧୯୫୬ରେ  ଏସ୍‌ସିବି ମେଡିକାଲ କଲେଜ୍‌ରୁ  ଏମ୍‌ବିବିଏସ୍‌ ଶିକ୍ଷା ସାରି ଲଣ୍ଡନସ୍ଥିତ  ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟରୁ ଉଚ୍ଚତର  ଡାକ୍ତରୀ ଶିକ୍ଷା ଲାଭ କରିଥିଲେ ।  କେବଳ ସେତିକି ନୁହେଁ, ସେ ସିଏମ୍‌ସି  ଭେଲୋରରୁ ୧୯୬୮ରେ କାର୍ଡିଓଲୋଜି  ଡିଏମ୍‌ ଡିଗ୍ରୀ ହାସଲ କରିଥିଲେ । ନିଜ ଡାକ୍ତରୀ ଜୀବନ କାଳ ଭିତରେ  ହୃଦ୍‌ରୋଗର ଚିକିତ୍ସା, ଗବେଷଣା  ଏବଂ ଶିକ୍ଷା କ୍ଷେତ୍ରରେ ପୂର୍ବଭାରତର  ସେ ବହୁ ଖ୍ୟାତି ଅର୍ଜନ କରିଥିଲେ ।  ଜଣେ ସଫଳ ହୃଦରୋଗ ବିଶେଷଜ୍ଞ  ଭାବେ ଡାକ୍ତର ଜେ.ପି.ଦାସ ଦେଶ  ବିଦେଶରେ ସୁନାମ ଅର୍ଜନ କରିଥିଲେ  ମଧ୍ୟ ଅର୍ଥର ଲାଳସା କିମ୍ବା ପଦପଦବି  ମୋହରେ ପଡ଼ିନଥିଲେ । ଫଳରେ  ସେ ଖାତ୍ୟାନାମା ଚିକିତ୍ସା ପ୍ରତିଷ୍ଠାନ  ଭେଲୋର୍‌ ଛାଡ଼ି ଓଡ଼ିଶା ଫେରି ଏସ୍‌ସିବି ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲରେ  ୧୯୭୦ରେ ହୃଦ୍‌ରୋଗ ଚିକିତ୍ସା ପାଇଁ  ସ୍ୱତନ୍ତ୍ର ବିଭାଗ ଖୋଲିବାରେ ପ୍ରମୁଖ  ଭୂମିକା ନିର୍ବାହ କରିଥିଲେ । ଡାକ୍ତର  ଦାସ ଏସ୍‌ସିବିରେ କାର୍ଡିଓଲୋଜି ବିଭାଗ  ଖୋଲିବା ସହିତ ଆଇସିୟୁ ପ୍ରତିଷ୍ଠା ଏବଂ  ସୁପର ସ୍ପେସିଆଲଟି ପାଠ୍ୟକ୍ରମ ତଥା  ଡିଏମ୍‌ କୋର୍ସ ମଧ୍ୟ ଆରମ୍ଭ କରିଥିଲେ ।  

ପୂର୍ବ ଭାରତର ପ୍ରଥମ ସରକାରୀ  ଚିକିତ୍ସା ପ୍ରତିଷ୍ଠାନ ଭାବେ ଏସ୍‌ସିବିରେ  ଇକୋ ଏବଂ କାଥୋଲାବ୍‌ ପ୍ରତିଷ୍ଠା  କରି ରାଜ୍ୟରେ ହୃଦ୍‌ରୋଗୀଙ୍କ ଜୀବନ  ବଞ୍ଚାଇବାରେ ସେ ପ୍ରମୁଖ ଭୂମିକା  ନିର୍ବାହ କରିଥିଲେ । ସେହିପରି  ଏସ୍‌ସିବି କାର୍ଡିଓଲୋଜି ବିଭାଗରେ ସେ  ହୃଦ୍‌ରୋଗୀଙ୍କ ଚିକିତ୍ସାରେ ପ୍ରଥମେ  ପେସ୍‌ମେକର ଲଗାଇବା ସହିତ ହାର୍ଟରେ  ପ୍ରଥମେ ବାୟୋପ୍‌ସି କରିଥିଲେ ।  ହୃଦରୋଗର ଚିକିତ୍ସା, ଗବେଷଣା  କ୍ଷେତ୍ରରେ ଏପରି ଅନେକ ଉପଲବ୍‌ଧି  ପାଇଁ ପୂର୍ବ ଭାରତରେ ତାଙ୍କୁ ଫାଦର ଅଫ୍‌  କାର୍ଡିଓଲୋଜିଷ୍ଟ୍‌ ବୋଲି କୁହାଯାଏ ।  

୧୯୭୭ରେ ଡାକ୍ତର ଦାସ ବିଶ୍ୱ  ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ମନୋନୀତ  ହୋଇଥିଲେ । ଲଣ୍ଡନ, ହଲାଣ୍ଡ,  ଡେନ୍‌ମାର୍କ, ସ୍ୱିଡେନ୍‌ ଓ ମସ୍କୋ ଆଦି  ଦେଶର ପ୍ରମୁଖ ହୃଦ୍‌ରୋଗ ପ୍ରତିଷ୍ଠାନରେ  ଉଚ୍ଚତର ଗବେଷଣା ଏବଂ ତାଲିମ୍‌  ପ୍ରଦାନ କରିଥିଲେ । ସେହିପରି କାନାଡା,  ଆମେରିକା, ସ୍ପେନ୍‌, ଥାଇଲାଣ୍ଡ,  ଇଣ୍ଡୋନେସିଆ ଆଦି ଦେଶରେ  ହୃଦ୍‌ରୋଗ ଗବେଷଣା କ୍ଷେତ୍ରରେ  ନିଜର ଅଭିଜ୍ଞତା ବିନିମୟ କରିଥିଲେ ।  

ଏଥିଲାଗି ତାଙ୍କୁ କାର୍ଡିଓଲୋଜି ସୋସାଇଟି  ଅଫ୍‌ ଇଣ୍ଡିଆ ପକ୍ଷରୁ ଜୀବନ ବ୍ୟାପୀ  ସାଧନା ସମ୍ମାନ, ଟାଇମ୍‌ସ୍‌ ଅଫ୍‌  ଇଣ୍ଡିଆ ଗ୍ରୁପ୍‌ ପକ୍ଷରୁ ଓଡ଼ିଶା ଏକ୍ସିଲେନ୍ସି  ଆୱାର୍ଡ, ପ୍ରଫେସର ପି.କେ ପରିଜା  ଆୱାଡ୍‌ ଫ୍‌ର ଏକ୍ସିଲେନ୍ସି ମେଡିକାଲ  ସାଇନ୍ସ, ବିଭୂତି କାନୁନଗୋ କଳା  ସମ୍ମାନ, ରେଭେନ୍ସ ଗୌରବ ସମ୍ମାନ,  ଲଳିତ କଳା ଏକାଡେମୀ ପୁରସ୍କାର  ଆଦି ବହୁ ସମ୍ମାନରେ ସମ୍ମାନିତ  କରାଯାଇଥିଲା । ଏଥିସହିତ ଚିତ୍ରକଳା  ପ୍ରଦର୍ଶନୀ ଓ ପୁସ୍ତକ ରଚନା କ୍ଷେତ୍ରରେ  ମଧ୍ୟ ସେ ସୁନାମ ଅର୍ଜନ କରିଥିଲେ ।  

କୋଲକାତା, ବେଙ୍ଗାଲୁରୁ, ଭୁବନେଶ୍ୱର  ଓ ତାଳଚେର ସମେତ ବିଦେଶର ସ୍ୱତନ୍ତ୍ର  ଗ୍ୟାଲେରୀରେ ତାଙ୍କ ଚିତ୍ରକଳା ପ୍ରଦର୍ଶିତ  ହେଉଛି । ଡାକ୍ତର ଦାସଙ୍କ ବିୟୋଗରେ  ବିଧାୟକ ମହମ୍ମଦ ମୋକିମ୍‌, ଏସ୍‌ସିବି  ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର  ସୁଧାଂଶୁ ଶେଖର ମିଶ୍ର, ବରିଷ୍ଠ ବିଶେଷଜ୍ଞ  ପ୍ରଫେସର ହୃଦାନନ୍ଦ ମିଶ୍ର, ପ୍ରଫେସର  ସିବିକେ ମହାନ୍ତି, ପ୍ରଫେସର ଏସ୍‌ଏନ୍‌  ରାଉତରାୟ, ପ୍ରଫେସର ଜୟନ୍ତ  କୁମାର ପଣ୍ଡାଙ୍କ ସମେତ ବହୁ ଚିକିତ୍ସା  ବିଜ୍ଞାନୀ ଶୋକ ପ୍ରକାଶ କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.