କାଣ୍ଡି,୦୨/୦୯: ବର୍ଷାକୁ ନେଇ ଯାହା ପୂର୍ବାନୁମାନ କରାଯାଉଥିଲା, ସେଇଆ ହିଁ ହେଲା। ଏସିଆ କପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ବଡ଼ ମୁକାବିଲା ବର୍ଷା ଯୋଗୁଁ ରଦ୍ଦ ହୋଇଛି। ପୂରା ମ୍ୟାଚ୍ରେ ବର୍ଷା ବାଧକ ସାଜିଛି। ଆଉ ନିରାଶ ହୋଇଛନ୍ତି କ୍ରିକେଟ୍ ପ୍ରେମୀ। ଯଦିଓ ଭାରତ ସଂପୂର୍ଣ୍ଣ ୫୦ ଓଭର ଖେଳି ପାରିଥିଲା କିନ୍ତୁ ଲଗାତାର ବର୍ଷା ଯୋଗୁଁ ଦ୍ଵିତୀୟ ଇନିଂସ ଆରମ୍ଭ ହୋଇ ପାରି ନ ଥିଲା। ମ୍ୟାଚ୍ ଆରମ୍ଭ ପାଇଁ ଶେଷ ସମୟ ୧୦ଟା ୨୭ ରଖା ଯାଇଥିଲା। କିନ୍ତୁ ୧୦ଟା ସୁଦ୍ଧା ବର୍ଷା ନ ଛାଡ଼ିବାରୁ ଶେଷରେ ମ୍ୟାଚ୍କୁ ରଦ୍ଦ ଘୋଷଣା କରାଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ପାକିସ୍ତାନ ପ୍ରଥମ ଜିତିଥିବାରୁ ମୋଟ୍ ୩ ପଏଣ୍ଟ ପାଇଁ ସୁପର-୪ରେ ପ୍ରବେଶ କରିଛି। ଭାରତକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ହେଲେ ନେପାଳ ବିପକ୍ଷ ଲିଗ୍ ମ୍ୟାଚ୍କୁ ଜିତିବାକୁ ପଡ଼ିବ।
ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୮.୫ ଓଭରରେ ୨୬୬ ରନର ଲଢୁଆ ସ୍କୋର କରିଥିଲା। ଭାରତ ପକ୍ଷରୁ ହାର୍ଦ୍ଦି ପାଣ୍ଡ୍ୟା ସର୍ବାଧିକ ୮୭ ରନର ଦମଦାର ଇନିଂସ ଖେଳିଥିବା ବେଳେ ଇଶାନ କିଷନ ୮୨ ରନର ଗୁରୁତ୍ଵପୂର୍ଣ୍ଣ ପାଳି ଖେଳିଛନ୍ତି। ଦୁଇ ବ୍ୟାଟରଙ୍କ ମଧ୍ୟରେ ଶତକୀୟ ଇନିଂସ ଯୋଗୁଁ ଭାରତ ଏହି ସ୍କୋର କରି ପାରିଛି। ମ୍ୟାଚ୍କୁ ଜିତିବା ପାଇଁ ପାକିସ୍ତାନ ସମ୍ମୁଖରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ବର୍ଷା ଯୋଗୁଁ ଦ୍ଵିତୀୟ ଇନିଂସରେ ବଲ୍ଟିଏ ବି ପଡ଼ିପାରି ନଥିଲା। ଶେଷରେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି।
You can also read: