ଫୁଲବାଣୀ,୧୧/୨ : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ନୂତନ ସଭାପତି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ଜିଲ୍ଲା ସଭାପତି ସାଲୁଗା ପ୍ରଧାନ ପଦବୀରୁ ଇସ୍ତଫା ଦେବା ପରେ ପ୍ରାୟ ଦୁଇ ମାସ ହେଲା ଏହି ପଦବୀ ଖାଲି ପଡିଥିଲା। ନିର୍ବାଚନ ଆଗକୁ ଥିବା ବେଳେ ଏହି ପଦବୀକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା। ତେବେ ସେଥିରେ ଅନ୍ତ ଘଟାଇ ଆଜି ଅଙ୍ଗଦ କହଁରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ଦଶ ବର୍ଷ ଧରି ସରୋଜ କର୍ଣ୍ଣ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ରହିଥିଲେ। ଗତ ନଭେମ୍ବର ମାସରେ ଏଥିରେ ପରିବର୍ତ୍ତନ କରାଯାଇ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ତେବେ ଏହାର ମାସେ ନ ପୂରୁଣୁ ସାଲୁଗା ରାଜ୍ୟ ବିଧାନସଭାରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇ ଯିବାରୁ ତାଙ୍କୁ ଏହି ଦଳୀୟ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା। ସେବେଠାରୁ ଜିଲ୍ଲା ସଭାପତି ପଦବୀ ଖାଲି ପଡିଥିଲା।