ନୂଆଦିଲ୍ଲୀ,୨।୯: ରାଜସ୍ଥାନର ପ୍ରତାପଗଡ଼ରେ ମଣିପୁର ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ଗାଁରେ ବୁଲାଯାଇଥିଲା। ଲଜ୍ଜାଜନକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶରେ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ନିଜେ ଶୁକ୍ରବାର ରାତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପୋଲିସ (କ୍ରାଇମ) ଦୀନେଶ ଏମଙ୍କୁ ପ୍ରତାପଗଡକୁ ପଠାଇଛନ୍ତି। ଶନିବାର ସକାଳେ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଧାରିୟାବାଦ ଥାନାର ଅଧିକାରୀ ପେଶାଓ୍ବର ଖାନ୍ଙ୍କ କହିବା ଅନୁସାରେ, ଏହି ଘଟଣା ୨୧ ବର୍ଷୀୟ ମହିଳାଙ୍କ ସହିତ ଗୁରୁବାର ଘଟିଛି। ମହିଳାଙ୍କ ସହିତ ଏଭଳି କାଣ୍ଡ ଘଟାଇଛନ୍ତି ତାଙ୍କର ପୂର୍ବତନ ସ୍ବାମୀ କାନା ଓ ତାଙ୍କ ସମ୍ପର୍କୀୟମାନେ। ସେମାନେ ମହିଳା ଜଣକୁ ମାରପିଟ୍ କରିବା ସହ ତାଙ୍କୁ ଉଲଗ୍ନ କରି ଗାଁରେ ବୁଲାଇଥିଲେ। ମହିଳାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସାମନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହିଳାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେଭଳି ଅନ୍ୟମାନଙ୍କୁ ମଧ୍ୟ ଖୋଜା ଚାଲିଛି।
ଡିଜିପି ଉମେଶ ମିଶ୍ରା କହିଛନ୍ତି, ଶାଶୁଘର ଓ ବାପାଘର ଭିତରେ ବିବାଦ ଚାଲିଥିଲା। ଏହି କାରଣରୁ ଶାଶୁଘର ଲୋକ ଏଭଳି ନିନ୍ଦନୀୟ କାର୍ଯ୍ୟ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଛି। ଉଲ୍ଳେଖନୀୟ ଯେ,ମଣିପୁରରେ ୨ ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତାରେ ଚଲାଇବା ସହ ପଶୁ ଭଳି ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା। ସାରା ଦେଶରେ ଏଭଳି ଘଟଣାକୁ କଡା ନିନ୍ଦା କରାଯାଇଥିଲା।