ପ୍ରମୂଖ ଖବର

କଟକ ଆସୁଛନ୍ତି ରାଷ୍ଟ୍ରପତି, ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଭବ୍ୟ କାର୍ଯ୍ୟକ୍ରମରେ ଦେବେ ଯୋଗ

କଟକ,୦୧/୦୩: ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଶାଖାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବାଲାଗି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କଟକ ଆସୁଛନ୍ତି । ଏହି ଅବସରରେ  ସ୍ଥାନୀୟ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ  ହେଉଛି । ଅପରାହ୍ନ ୩ଟା ୫୦ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ  ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ପହଞ୍ଚିବେ । ଭୁବନେଶ୍ୱର ରାଜଭବନରୁ ଜାତୀୟ ରାଜପଥରେ କାର୍‌ରେ ଆସି ଶିଖରପୁର ବାଟଦେଇ ରିଂ  ବନ୍ଧ ହୋଇ ଆୟୋଜନ ସ୍ଥଳୀରେ ପହଞ୍ଚିବେ । ତେବେ ଷ୍ଟାଡିୟମ୍‌  ଓ ମହାମହିମ ଆସିବାକୁ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କିଭଳି  ରହିବ ସେନେଇ ଆଜି ଏକ ବ୍ରିଫିଙ୍ଗ୍‌ କାର୍ଯ୍ୟକ୍ରମ ଇନ୍‌ଡୋର  ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା ।

ଏଥିରେ ଡିସିପି କନ୍‌ୱର  ବିଶାଲ ସିଂହ ମହାମହିମଙ୍କ ସୁରକ୍ଷା ଡ୍ୟୁଟି କରିବାକୁ ଥିବା ସମସ୍ତ  ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ବୁଝାଇଥିଲେ। ସୁରକ୍ଷାରେ  ପ୍ରାୟ ୨୫ ପ୍ଲାଟୁନ୍‌ ଫୋର୍ସ ଓ ୨ଶହ ଅଫିସର ରହୁଛନ୍ତି । ୧୯୭୩ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଓଡ଼ିଶାରେ  ପ୍ରଜାପିତା ବ୍ରହ୍ମା କୁମାରୀ ସଂଗଠନର ମୂଳଦୁଆ ପଡ଼ିଥିଲା । ଏହା  ଭିତରେ ୫୦ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ଏହାକୁ ଆହୁରି ସ୍ମରଣୀୟ କରିବାକୁ ଏଇ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଆୟୋଜନ ।  ଏହାର ମୁଖ୍ୟ ଆକର୍ଷଣ ରହିବେ ମହାମହିମ ରାଷ୍ଟ୍ରପତି । ତିନି  ଦିନ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ  ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟକ ବ୍ୟକ୍ତି ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.