ଭୁବନେଶ୍ବର, ୪/୧୧ : ପ୍ରଯୋଜକ ଟୁଟୁ ନାୟକ ଗିରଫ । ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ । ଟୁଟୁ ନାୟକଙ୍କ ବିରୋଧରେ ଲାଗିଥିଲା ସଙ୍ଗୀନ ଦଫା । ଗିରଫ ନେଇ ସୂଚନା ଦେଲେ ଡିସିପି ପ୍ରତୀକ ସିଂ ।
ସୂଚନା ଅନୁଯାୟୀ, ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ଜଣେ ମହିଳା ସାମ୍ବାଦିକ ଶୁକ୍ରବାର ଖାରବେଳନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । ପ୍ରଯୋଜକଜଣକ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଗାଲକୁ ଚାପୁଡ଼ା ପକାଇଥିବା ଅଭିଯୋଗ ହୋଇଥିଲା । ପୀଡିତାଜଣକ ହେଲେ, କଟକର ଦେବସ୍ମିତା ରାଉତ । ସେ ‘ଇଟିଭି ଭାରତ’ରେ ରିପୋର୍ଟର ଅଛନ୍ତି ।
ଦେବସ୍ମିତାଙ୍କ ଏତଲା ମୁତାବକ, ଶ୍ରୀୟା ହଲ୍ରେ ଶୁକ୍ରବାର ଓଡ଼ିଆ ସିନେମା ‘ପ୍ରଥା’ର ପୋଷ୍ଟର ରିଲିଜ ହେଉଥିଲା । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ପୋଷ୍ଟର ରିଲିଜ୍ ପରେ ଦେବସ୍ମିତା ହଲ୍ରୁ ବାହାକୁ ଆସି ସିନେମା ହିରୋଙ୍କ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରିଥିଲେ । ଏତିକିବେଳେ ଟୁଟୁ ପଛ ପଟୁ ଆସିଲେ । ହଠାତ୍ ତାଙ୍କ ବାମପଟ ଗାଲକୁ ଚାପୁଡ଼ା ମାରିଲେ । ତାଙ୍କ ହାତରୁ ବୁମ୍ ଓ ଫୋନ୍ ଖସି ପଡ଼ିଥିଲା । ସେ ବୁମ୍ ଉଠାଉଥିବା ବେଳେ ଟୁଟୁ ପୁଣି ପିଠିକୁ ମାରିବା ସହ ଅଶୋଭନୀୟ ଆଚରଣ କରିଥିଲେ । ସର୍ବସମ୍ମୁଖରେ ଟୁଟୁଙ୍କ ଏଭଳି ବ୍ୟବହାର ଯୋଗୁ ତାଙ୍କର ମର୍ଯ୍ୟଦା ହାନୀ ହୋଇଥିବା ଏତଲାକପିରେ ଦର୍ଶାଯାଇଛି ।
ସେପଟେ ଚାପୁଡ଼ା ମାରା ଅଭିଯୋଗକୁ ଟୁଟୁ ଖଣ୍ଡନ କରିଥିଲେ । ସେ କହିଥିଲେ, ଦେବସ୍ମିତା ମୋ ଝିଅ ବୟସର । ତାଙ୍କୁ ବହୁତ ଆଗରୁ ଜାଣିଛି । ପ୍ରିମିଅର ସୋ’ରୁ ବାହାରିବାବେଳେ ସେ ଗେଟ୍ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ଡାକିଥିଲି । କିନ୍ତୁ ସେ ନ ଶୁଣିବାରୁ ତାଙ୍କୁ ପିଠିକୁ ଥାପୁଡ଼େଇ ସାଇଡ୍ କରିଥିଲି । ଅନ୍ୟମନସ୍କ ହେତୁ ତାଙ୍କ ହାତରୁ ବୁମ୍ ଓ ମୋବାଇଲ୍ ତଳେ ପଡ଼ିଗଲା । ଅନ୍ୟ ସାମ୍ବାଦିକ ଏହାକୁ ଉଠାଇଦେଲେ । ଫେରିବାବେଳେ ତାଙ୍କ ଗାଲକୁ ଥାପୁଡ଼େଇ ଖାଇଛ କି ନାହିଁ ପଚାରିଥିଲି । ଏଥିରେ ଯଦି ଦେବସ୍ମିତାଙ୍କ ମନକୁ ଆଘାତ ଲାଗିଛି । ସେଥିପାଇଁ ‘ଆଇ ଆମ୍ ସରି’ । ଖାରବେଳନଗର ଥାନା ପୁଲିସ (୫୫୩/୨୩)ରେ ମାମଲା ରୁଜୁ କରି ପ୍ରଯୋଜକଙ୍କ ବିରୋଧରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୪ ଲଗାଇଥିଲା । ପୁଲିସ ସିନେମା ହଲ୍କୁ ଯାଇ ସିସି କ୍ୟାମେରା ଯାଞ୍ଚ କରିବା ସହ ମାମଲାର ତଦନ୍ତ ଚଳାଇଥିଲା।