ନୂଆଦିଲ୍ଲୀ, ୧୨/୦୨: ଭାରତର ବଡ଼ କୂଟନୀତିକ ବିଜୟ । ମୁଣ୍ଡ ନୂଆଁଇଲା କତାର । ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଥିବା କତାର ଏବେ ମୁକ୍ତ କରିଛି । ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
ବିଦେଶ ମନ୍ତ୍ରଣାଳୟ କହିଛି, କତାରର ଅଲ୍ ଦହ୍ରା ଗ୍ଲୋବାଲ୍ କମ୍ପାନୀରେ କାର୍ଯ୍ୟରତ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ କତାର ମୁକ୍ତ କରିଛି । ୮ ଜଣଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରି ଆସିଛନ୍ତି । ୮ ଭାରତୀୟଙ୍କୁ ମୁକ୍ତ କରିବା ନେଇ କତାରର ନିଷ୍ପତ୍ତିକୁ ସ୍ୱାଗତ କରିଛି ଭାରତ ।
ଗତବର୍ଷ ଡିସେମ୍ବରରେ କତାରର ଏକ କୋର୍ଟ ଭାରତୀୟ ନୌସେନାର ପୂର୍ବତନ ୮ ଅଧିକାରୀଙ୍କୁ ଦିଆ ଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ସମସ୍ତଙ୍କୁ ଅଲ୍ ଦହ୍ରା ଗ୍ଲୋବାଲ୍ କମ୍ପାନୀ ମାମଲାରେ ଗିରଫ କରାଯାଇଥିଲା । ପ୍ରଥମେ କୋର୍ଟ ସମସ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ଭାରତ ପ୍ରତିବାଦ କରିବାରୁ ଫାଶୀ ଦଣ୍ଡକୁ ଜେଲରେ ପରିଣତ କରାଯାଇଥିଲା ।
ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ କ୍ୟାପଟେନ୍ ନବତେଜ୍ ସିଂ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମରା ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଠ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୁର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପକାଲ, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ସେଲର ରାଗେଶ କତାରର ଜେଲରେ ବନ୍ଦୀ ଥିଲେ ।
ଏବେ କତାରରୁ ମୁକ୍ତ ହୋଇ ଭାରତ ଫେରିବା ପରେ ନୌସେନାର ସମସ୍ତ ପୂର୍ବତନ ଅଧିକାରୀ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାମଲାରେ ହସ୍ତକ୍ଷେପ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି ଧନ୍ୟବାଦ । କହିଛନ୍ତି, ପିଏମ୍ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ମୁକୁଳିବା ସହଜ ନଥିଲା । ଭାରତ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ।
ସେହିଭଳି ଆଉ ଜଣେ କହିଛନ୍ତି, ଆମେ ପାଖାପାଖି ୧୮ ମାସ ଧରି ଭାରତ କେବେ ଫେରିବୁ ଅପେକ୍ଷା କରି ରହିଥିଲୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ।
ମାମଲା କଣ ?
୨୦୨୨ ଅଗଷ୍ଟରେ ଭାରତୀୟ ସେନାର ୮ ପୂର୍ବତନ ଅଧିକାରୀଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରିଥିଲା କତାର । ଏହି ୮ ଜଣ ସେଠାକାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କତାର ଅଭିଯୋଗ ଅନୁଯାୟୀ, ଏହି ୮ ଜଣ ଇସ୍ରାଏଲକୁ ଗୁପ୍ତ ତଥ୍ୟ ଦେଉଥିଲେ । ପରେ ୨୦୨୩ ଅକ୍ଟୋବରରେ ସମସ୍ତଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଥିଲେ ।