ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାକୁ ଆସିଛି: ରାହୁଲ

ରାଉରକେଲା/ବୀରମିତ୍ରପୁର, ୬।୦୨: ଓଡ଼ିଶା ଆସି ବହୁତ ଭଲ ଲାଗୁଛି । ଓଡ଼ିଶାବାସୀଙ୍କ ଏତେ ଭଲ ପାଇବା ଦେଖି ଖୁସି ଲାଗିଲା । ଏହି ସରଳ ବିଶ୍ୱାସୀ ଓଡ଼ିଶାବାସୀଙ୍କ ପାଇଁ ଲଢ଼ିବା ସହ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସଲାସୁତରା ହୋଇ ଦୀର୍ଘ ବର୍ଷ ହେବ ଏଠାରେ ଦୁର୍ନୀତି, ଅନ୍ୟାୟ କରି ଆସୁଛନ୍ତି । ଏହା ବିରୋଧରେ ସ୍ୱର ଉଠାଇବାକୁ ଆସିଥିବା ବେଳେ ଏଥିପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକ । ଏପରିକି ରାଜ୍ୟ ତଥା ଦେଶରେ ଚାଲିଥିବା ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାକୁ ଆସିଛି (ନଫ୍‌ରତ କି ଦୁନିଆମେଁ ପ୍ରେମ୍‌ କି ଦୁକାନ୍‌ ଖୋଲନେ ଆୟା ହୁଁ) ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧି କହିଛନ୍ତି । ଝାଡ଼ଖଣ୍ଡର ସୀମଡେଗାରେ କାର୍ଯ୍ୟକ୍ରମ ସାରି ରାହୁଲ ଓଡ଼ିଶା ଅଭିମୁଖେ ବାହାରିଥିଲେ । ପ୍ରାୟ ୪୩ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପ୍ରବେଶ କରିବା ପରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ଉତ୍ସାହିତ ନେତା ଓ କର୍ମୀମାନେ ରାହୁଲ ଗାନ୍ଧି ଜିନ୍ଦାବାଦ, ସୋନିଆ ଗାନ୍ଧି ଜିନ୍ଦାବାଦ, ଆମେ ରାହୁଲଙ୍କ ସାଙ୍ଗରେ ଅଛୁ, ଜିତିବରେ ଭାଇ ଜିତିବ, କଂଗ୍ରେସ ଜିତିବ ଆଦି ସ୍ଲୋଗାନ ଦେଇଥିଲେ । ଓଡ଼ିଶାରୁ ଝାଡ଼ଖଣ୍ଡକୁ ଲମ୍ବିଥିବା ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ସୀମା ଅଞ୍ଚଳ ଲୋକାରଣ୍ୟ ଥିଲା । ନେତା ଓ କର୍ମୀମାନେ ହାତରେ କଂଗ୍ରେସ ପତାକା ଧରି ରାହୁଲଙ୍କୁ ସ୍ୱାଗତ କରିଥିଲେ । 

ଫଳରେ ରାଜପଥରେ ଗାଡ଼ି ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା ।  ବୀରମିତ୍ରପୁର ସୀମାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପହଞ୍ଚିବା ପରେ ଝାଡ଼ଖଣ୍ଡ କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ ପତାକା ହସ୍ତାନ୍ତର କରାଯାଇଥିଲା । ଏହା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ରାହୁଲଙ୍କୁ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ । ଓଡ଼ିଶା ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ରାହୁଲଙ୍କୁ ଉତ୍ତରୀୟ ଦେଇ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଏହି ଅବସରରେ ହଜାର ହଜାର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଥିଲେ, ଝାଡ଼ଖଣ୍ଡରୁ ଆସି ଓଡ଼ିଶା ପହଞ୍ଚିବା ବେଳେ ଏତେ ସଂଖ୍ୟାର ଜନତାଙ୍କ ଭଲ ପାଇବା ଦେଖି ଖୁସି ଲାଗୁଛି । ଭାରତ ଯୋଡ଼ୋ ଯାତ୍ରାର ଆଭିମୁଖ୍ୟ ବିଷୟରେ କହିବା ସହ ଦେଶକୁ ଯୋଡ଼ିବା ହେଉଛି ଏହି ଯାତ୍ରାର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ପୂର୍ବଥର କନ୍ୟାକୁମାରୀ ଠାରୁ ପଦଯାତ୍ରା ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଯାଇଥିବା ବେଳେ ସେଥିରେ ଝାଡ଼ଖଣ୍ଡ, ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଜନତା ମଧ୍ୟ ଯୋଗ ଦେଇଥିଲେ । ସେହି ସମୟରେ ଅନ୍ୟ ରାଜ୍ୟରେ ଦୁର୍ନୀତି, କୁଶାସନ, ଅନ୍ୟାୟ ହେଉଥିବା କଥା ଜଣାଇଥିଲେ । ଯାହାକି ଅନ୍ୟ ରାଜ୍ୟକୁ ମଧ୍ୟ ଏହି ଯାତ୍ରା କରି ଅନ୍ୟାୟ, ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ସେ ଆହ୍ୱାନ ଦେଇଥିଲେ ।  

ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ମଣିପୁରରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ନ୍ୟାୟ ଯାତ୍ରା ହେବ । ତେବେ ଗରିବ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତିବାଦରେ ଏହି ଯାତ୍ରା ଜାରି ରହିବ ବୋଲି ସେ କହିଥିଲେ । ଓଡ଼ିଶାରେ ଆଜି ପହଞ୍ଚିଥିବା ବେଳେ ପ୍ରାୟ ୨ଦିନ ପର୍ଯ୍ୟନ୍ତ ରହି ଲୋକଙ୍କ କଥା ଓ ଅଭିଯୋଗ ଶୁଣିବା ସହ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବି ବୋଲି କହିଥିଲେ । ପୂର୍ବରୁ ବିଧାୟକ ସୁରେଶ ରାଉତରାୟ ଓ ତାରାପ୍ରସାଦ ବାହିନୀପତି ଉପସ୍ଥିତ ଜନତା ଓ ଯୁବପିଢ଼ିଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ କୁଶାସନ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଆଜି ଅର୍ଥାତ୍‌ ୭ ତାରିଖ ସକାଳ ୮.୪୫ରେ ରାହୁଲ ଗାନ୍ଧି ଶିବିର ଛାଡ଼ି ବେଦବ୍ୟାସ ଶୈବପୀଠକୁ ଯାଇ ସେଠାରେ ମହାଦେବଙ୍କ ଦର୍ଶନ କରିଛନ୍ତି । ସେଠାରୁ ବାହାରି ସକାଳ ୯ଟା ୩୦ରେ ରାଉରକେଲା ଉଦିତନଗର ଏସ୍‌ପି ଅଫିସ୍‌ ସମ୍ମୁଖ ଛକରେ ପହଞ୍ଚି ସେଠାରୁ ପଦଯାତ୍ରା ଆରମ୍ଭ କରିବେ । ଏହି ପଦଯାତ୍ରା ପାନପୋଷ ଛକ ଠାରେ ସକାଳ ପ୍ରାୟ ୧୧ଟାରେ ପହଞ୍ଚିବ । ସେଠାରେ ରାହୁଲ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । 

ଏହାପରେ ଆଗକୁ ବଢ଼ି ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡ଼ିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ନ ୨ଟାରେ ରାଣୀବନ୍ଧ ଠାରୁ ପୁଣି ଯାତ୍ରା ଆରମ୍ଭ କରିବେ ଏବଂ କୁତ୍ରାରେ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ବଡ଼ଗାଁ ଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବଡ଼ଗାଁରୁ ବାହାରିବା ପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ସାଢ଼େ ୪ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସ୍‌ବିଆଇ ଛକ ହୋଇ ଯିବ । ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଅମଲିପାଲି ଠାରେ ରାହୁଲ ରାତ୍ରିଯାପନ କରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.