ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ,୧୧/୧୨ : ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସ୍‌ପେନ୍ସ ଏବେ ବି ଜାରି ରହିଛି । ସୋମବାର ଉଭୟ ରାଜ୍ୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ବସିବ । ସେଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଯୋଗଦେବେ । ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ । ଏହା ପରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।

ଉଲ୍ଲେଖ ଯୋଗ୍ୟ ପ୍ରାୟ ଏକ ସପ୍ତାହ ଧରି ସସ୍‌ପେନ୍ସ ପରେ ଛତିଶଗଡ଼ ପାଇଁ ମୁଖ୍ୟମନ୍ତ୍ରୀ ନାମ ସ୍ଥିର ହୋଇଛି । ଅନେକ ବିଚାରବିମର୍ଶ, ଆଲୋଚନା, ବୈଠକ କରି ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ସାଏ (୫୯)ଙ୍କ ନାଁରେ ରବିବାର ମୋହର ମାରିଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଛତିଶଗଡ଼ରେ ଆଦିବାସୀ କାର୍ଡ ଖେଳି ବିଷ୍ଣୁଦେଓଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଛି ।

ରବିବାର ସକାଳ ପ୍ରାୟ ୯ଟାରେ ଛତିଶଗଡ଼ର ନବନିର୍ବାଚିତ ୫୪ ବିଧାୟକଙ୍କୁ ନେଇ ରାୟପୁରରେ ଏକ ବୈଠକ ବସିଥିଲା । ସବୁ ବିଧାୟକଙ୍କ ସହ ଆଲୋଚନା ପରେ ଦଳର ୩ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ସର୍ବାନନ୍ଦ ସୋନୋୱାଲ ଏବଂ ବିଜେପି ରାଷ୍ଟ୍ରୀୟ ସଚିବ ଦୁଶ୍ୟନ୍ତ କୁମାର ଦିନସାରା ୩ ପର୍ଯ୍ୟାୟର ବୈଠକ ପରେ ବିଷ୍ଣୁଦେଓଙ୍କୁ ବିଧାୟକ ଦଳର ନେତା ବାଛିଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ ହେବାର କିଛି ସମୟ ପରେ ବିଷ୍ଣୁଦେଓ ରାଜଭବନରେ ପହଞ୍ଚି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଛନ୍ତି ।

ରିପୋର୍ଟ ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଧାନସଭା ବାଚସ୍ପତି ହୋଇପାରନ୍ତି । ସେହିପରି ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ । ପ୍ରଥମ ଥର ବିଧାୟକ ହୋଇଥିବା ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ହେବେ । ପୂର୍ବରୁ ଅରୁଣ ସାଓ ସାଂସଦ ଥିଲେ। ସଦ୍ୟ ସମାପିତ ନିର୍ବାଚନରେ ବିଜେପି ବିନା କୌଣସି ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିଥିଲା । ଡିସେମ୍ବର ୩ରେ ଫଳାଫଳ ଘୋଷଣା ହୋଇଥିଲା । ରାଜ୍ୟର ମୋଟ ୯୦ ଆସନରୁ ୫୪ ଆସନରେ ବିଜେପି ବହୁମତ ହାସଲ କରି କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲା । ପରେ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । 

ମୁଖ୍ୟମନ୍ତ୍ରୀ ବଛାଯିବା ପରେ ବିଷ୍ଣୁଦେଓ ବିଜେପି ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି । ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଇଥବା ଗ୍ୟାରେଣ୍ଟିକୁ ସେ ପୂରଣ କରିବା ଲାଗି ଶତପ୍ରତିଶତ କାମ କରିବେ ବୋଲି କହିଛନ୍ତି । ଏଥିସହ ୨ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୮ ଲକ୍ଷ ଆବାସ ନିର୍ମାଣ ଏବଂ ଡିସେମ୍ବର ୨୫ରେ ସମସ୍ତ କୃଷକଙ୍କୁ ୨ ବର୍ଷର ବକେୟା ବୋନସ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛତିଶଗଡ଼କୁ ନ୍ୟାୟ ଏବଂ ପ୍ରଗତି ପଥରେ ଆଗେଇ ନେବାକୁ ବିଷ୍ଣୁଦେଓ ମୁଖ୍ୟମନ୍ତ୍ରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ଆଶା ଥିବା ସେ କହିଛନ୍ତି । ସେହିପରି ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ରମଣ ସିଂହ, ରେଣୁକା ସିଂ ମଧ୍ୟ ବିଷ୍ଣୁଦେବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଛତିଶଗଡ଼ର ଜଶପୁର ଗ୍ରାମରେ ଏକ ଆଦିବାସୀ କୃଷକ ପରିବାରରେ ବିଷ୍ଣୁଦେବ ସାଏଙ୍କ ଜନ୍ମ । ସେ ୩ ଥର ବିଧାୟକ ଓ ୪ ଥର ହୋଇଥିଲେ । ୨୦୧୪ରେ ସେ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ପାଳି କ୍ୟାବିନେଟରେ ଇସ୍ପାତ, ଖଣି, ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଥିଲେ । ଚଳିତ ଥର ବିଷ୍ଣୁଦେଓ କୁନକୁରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ସେ କଂଗ୍ରେସର ଉଦ୍‌ ମିଞ୍ଜ୍‌ଙ୍କୁ ପରାସ୍ତ କରିଥିଲେ । ବିଷ୍ଣୁଦେଓଙ୍କୁ ୮୭,୬୦୪ ଭୋଟ ମିଳିଥିବାବେଳେ ମିଞ୍ଜ୍‌ଙ୍କୁ ୬୨,୦୬୩ ଭୋଟ ମିଳିଥିଲା । ବିଶେଷକରି ବିଜେପିକୁ ଆଦିବାସୀ ସିଟ୍‌ଗୁଡ଼ିକରେ ବିଜୟ ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ଥିବା ୨୯ ଆସନରୁ ବିଜେପି ୧୭ଟି ଜିତିଛି । ନିର୍ବିବାଦୀୟ ଚେହେରା ହୋଇଥିବାରୁ ବିଷ୍ଣୁଦେବଙ୍କୁ ଏହାର ସୁଫଳ ମିଳିଛି । ଫଳରେ ସେ ଅନେକ ଭେଟେରାନଙ୍କୁ ପଛରେ ପକାଇ ସମସ୍ତଙ୍କୁ ଚକିତ କରିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.